ଫିଟ୍ ଅଛନ୍ତି ବିରାଟ, ଖେଳିବେ ତୃତୀୟ ଟେଷ୍ଟ
କେପଟାଉନ୍ : ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆସନ୍ତା ୧୧ ତାରିଖରୁ ସିରିଜ ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପିଠି ଆହତ ସମସ୍ୟା ପାଇଁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିବା ଅଧିନାୟକ ବିରାଟ କୋହଲି ଏହି ମ୍ୟାଚ୍ ଖେଳିବେ । ସେ ଫିଟ୍ ଥିବା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ସ୍ପଷ୍ଟ କରି ଦେଇଛନ୍ତି । କୋହଲି ଦଳକୁ ଫେରିଲେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ଦ୍ରାବିଡ଼ କହିଛନ୍ତି, କୋହଲି ଏବେ ସୁସ୍ଥ ଅଛନ୍ତି । ସେ ତୃତୀୟ ଟେଷ୍ଟ ଖେଳିବାକୁ ଫିଟ ହୋଇ ସାରିଛନ୍ତି ।’ ସଦ୍ୟଶେଷ ଦ୍ୱିତୀୟ ଟେଷ୍ଟରେ କୋହଲିଙ୍କ ସ୍ଥାନରେ ହନୁମାଙ୍କୁ ସୁଯୋଗ ମିଳିଥିଲା । କୋହଲି ଫେରିବା ପରେ ହନୁମା ବାଦ ପଡ଼ିବେ । ନିଜେ ଦ୍ରାବିଡ଼ ପରୋକ୍ଷରେ ଏବିଷୟ ସ୍ପଷ୍ଟ କରି ସାରିଛନ୍ତି । ଦ୍ରାବିଡ଼ କହିଛନ୍ତି, ଅଭିଜ୍ଞ ଖେଳାଳି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଦଳରେ ଥିବା ପର୍ଯ୍ୟନ୍ତ ହନୁମା ଓ ଶ୍ରେୟାର ଆୟରଙ୍କୁ ନିୟମିତ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ିବ ।’ ଦ୍ୱିତୀୟ ଟେଷ୍ଟରେ ପୂଜାରା ଓ ରାହାଣେ ଦ୍ୱିତୀୟ ଇନିଂସ୍ରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଫର୍ମକୁ ଫେରିଥିଲେ । ଘରୋଇ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ୭ ୱିକେଟ୍ରେ ଭାରତକୁ ହରାଇ ୧-୧ରେ ସିରିଜ ବରାବର କରିଥିଲା ।
ଅନ୍ୟପକ୍ଷରେ ଜୋହାନ୍ସବର୍ଗ ଟେଷ୍ଟରେ ଭାରତ ପରାଜିତ ହେବା ପରେ ସିରିଜ୍ ବର୍ତମାନ ୧-୧ରେ ଡ୍ର ରହିଛି । ଏବେ କେପଟାଉନରେ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳାଯିବ । ତେବେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ନିରାଶଜନକ ଖବର । ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଜଂଘ ମାଂସପେଶୀ ଟାଣି ଧରିବାରୁ ଜାନୁଆରୀ ୧୧ରୁ କେପଟାଉନରେ ହେବାକୁ ଥିବା ତୃତୀୟ ଟେଷ୍ଟ ଖେଳିବା ନେଇ ସନ୍ଦେହ ରହିଛି । ଦ୍ୱିତୀୟ ଟେଷ୍ଟ ପରିସମାପ୍ତି ପରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି, ସିରାଜ୍ ସଂପୂର୍ଣ୍ଣ ଫିଟ୍ ନାହାନ୍ତି । ହାର୍ମଷ୍ଟ୍ରିଙ୍ଗ କାରଣରୁ ସିରାଜ୍ ଦ୍ୱିତୀୟ ମ୍ୟାଚ୍ରେ କେବଳ ୧୫.୫ ଓଭର ବୋଲିଂ କରିଥିଲେ । ଦ୍ୱିତୀୟ ଇନିଂସରେ ସେ ମାତ୍ର ଛଅ ଓଭର ବୋଲିଂ କରିପାରିଥିଲେ । ଦ୍ରାବିଡ କହିଛନ୍ତି, ଆମକୁ ସିରାଜ୍ଙ୍କ ଫିଟନେସ୍ର ଆକଳନ କରିବାକୁ ପଡିବାକୁ ଯେ, ସେ ଆଗାମୀ ତିନି ଚାରି ଦିନରେ ଫିଟ୍ ହୋଇ ପାରିବେ କି ନାହିଁ । ସ୍କାନିଂ ପରେ ତାଙ୍କର ଆହତ କେତେ ଗୁରୁତର ସ୍ପଷ୍ଟ ହୋଇଯିବ । ଆହତ ସତ୍ୱେ ସିରାଜ୍ ବୋଲିଂ କରିବାକୁ କୋଚ୍ ରାହୁଲ ଦ୍ରାବିଡ ଉଚ୍ଚ ପ୍ରଶଂସା କରିଛନ୍ତି । ଦ୍ରାବିଡ କହିଛନ୍ତି, ଆମ ପାଖରେ ପଂଚମ ବୋଲର ଥାଇ ମଧ୍ୟ ଆମେ ସେମିତି ଉପଯୋଗ କରି ପାରିଲୁ ନାହିଁ ଯେମିତି ମ୍ୟାଚ୍ରେ କରିବାକୁ ଚାହୁଁଥିଲୁ । ଏଥିରେ ଆମର ରଣନୀତି ପ୍ରଭାବିତ ହୋଇଥିଲା ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି । ଯଦି ସିରାଜ ତୃତୀୟ ମ୍ୟାଚ୍ ନଖେଳନ୍ତି ତେବେ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମାଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।
