ଆଉ ଏକ ମାଇଲଖୁଣ୍ଟ ଛୁଇଁଲେ କୋହଲି, ବିଶ୍ବର ଷଷ୍ଠ ଖେଳାଳି ଭାବେ ପୂରଣ କଲେ ୨୫ ହଜାର ରନ୍
ନୂଆଦିଲ୍ଲୀ : ବର୍ଡର-ଗାଭାସ୍କର ଟ୍ରଫିର ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଦ୍ୱିତୀୟ ଇନିଂସରେ ୧୨ ରନ୍ କରିବା ପରେ ବିଶ୍ବର ଷଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାର ରନ୍ ପୂରଣ କରିଛନ୍ତି କୋହଲି। ଏହି ମାଇଲଖୁଣ୍ଟ ହାସଲ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ କୋହଲି ହେଉଛନ୍ତି ଦ୍ୱିତୀୟ ଭାରତୀୟ ଖେଳାଳି।
ଏହାଛଡ଼ା ସେ ଦ୍ରୁତତମ ୨୫ ହଜାର ରନ୍ କରିବାର ରେକର୍ଡ କରିଛନ୍ତି । କୋହଲି ମାତ୍ର ୫୪୯ ଇନିଂସରେ ଏହି ସଂଖ୍ୟା ଛୁଇଁଛନ୍ତି। ଏଥିସହ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ତେନ୍ଦୁଲକର ତାଙ୍କର ୫୭୭ତମ ଇନିଂସରେ ୨୫ ହଜାର ଅନ୍ତର୍ଜାତୀୟ ରନ୍ କରିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ୫୮୮ ଇନିଂସ ନେଇଥିଲେ । କୋହଲି ୩୧,୩୧୩ ବଲର ସମ୍ମୁଖୀନ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ୨୫ହଜାର ରନ୍ ପୂରଣ କରିଛନ୍ତି।
ମ୍ୟାଚ୍ ଦୃଷ୍ଟିରୁ ବିରାଟ କୋହଲି ସମସ୍ତ ତିନୋଟି ଫର୍ମାଟରେ ଏପର୍ଯ୍ୟନ୍ତ ୪୯୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ୮୧୯୫ ରନ୍ କରିଥିବାବେଳେ ଦିନିକିଆରେ ୧୨,୮୦୯ ରନ୍ କରିଛନ୍ତି। ସେହିପରି ଟି-୨୦ରେ କୋହଲି ଏପର୍ଯ୍ୟନ୍ତ ୪୦୦୮ ରନ୍ ସଂଗ୍ରହ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା କେବଳ ୬ ଜଣ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାର ରନ୍ ପୂରଣ କରିଛନ୍ତି । ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରିକି ପଣ୍ଟିଂଙ୍କ ବ୍ୟତୀତ କୁମାର ସାଙ୍ଗାକାରା, ମାହେଲା ଜୟବର୍ଦ୍ଧନେ ଏବଂ ଜ୍ୟାକ କଲିସଙ୍କ ମଧ୍ୟ ଏହି ଏହି ମାଇଲଖୁଣ୍ଟର ଅଧିକାରୀ ହୋଇଛନ୍ତି । ତେବେ ଏକବିଂଶ ଶତାବ୍ଦୀରେ ଡେବ୍ୟୁ କରିବା ପରେ ବିରାଟ କୋହଲି ଏହି ଲକ୍ଷ୍ୟ ଛୁଇଁବାରେ ପ୍ରଥମ ଖେଳାଳି ହୋଇଛନ୍ତି ।
