ପ୍ରଥମ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ଅନ୍ତର୍ଜାତୀୟ ମ୍ୟାଚ୍ ବିଜେତା ହେବାର ବିରଳ ଉପଲବ୍ଧି ହାସଲ କଲେ ବିରାଟ
ମୁମ୍ବାଇ : ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ପ୍ରଥମ ଖେଳାଳି ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ଅନ୍ତର୍ଜାତୀୟ ମ୍ୟାଚ୍ ବିଜେତା ହେବାର ବିରଳ ଉପଲବ୍ଧି ହାସଲ କରିଛନ୍ତି । ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍ରେ ଭାରତ ସୋମବାର ହରାଇବା ପରେ ଏହି ସଫଳତାର ଅଧିକାରୀ ହୋଇଛନ୍ତି କୋହଲି ।
ଏହି ବିଜୟ ସହିତ ଟିମ ଇଣ୍ଡିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଟେଷ୍ଟ ମାନ୍ୟତାର ନମ୍ବର ୧ ସ୍ଥାନକୁ ଫେରିଛି । ମୁମ୍ବାଇ ଟେଷ୍ଟ ବିଜୟ ଅର୍ଥାତ ଦୁଇ ମ୍ୟାଚ୍ ବିଶିଷ୍ଟ ସିରଜକୁ ଭାରତ ୧-୦ରେ କବ୍ଜା କରିଛି । ଫଳରେ ସକରାତ୍ମକ ମନୋବଳ ସହ ଡିସେମ୍ବର ୨୬ରେ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ ଇଣ୍ଡିଆ ।
କ୍ୟାପଟେନ ବିରାଟ କୋହଲିଙ୍କୁ ବିରଳ ଉପଲବ୍ଧି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଭିନନ୍ଦନ ଜଣାଇଛି । ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୪୦/୫ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ । ତେବେ ରଚିନ ରବିନ୍ଦ୍ର (୧୮) ଓ ହେନରୀ ନିକୋଲସ ୨୨ ରନ୍ ଯୋଡିବା ପରେ ଜୟନ୍ତ ଯାଦବଙ୍କ ଶିକାର ହୋଇଥିଲେ ରବିନ୍ଦ୍ର । ଫଳରେ ହାତରେ ମାତ୍ର ୪ ୱିକେଟ ଥିଲାବେଳେ ଭ୍ରମଣକାରୀ ଟିମ ବିଜୟ ପାଇଁ ୩୭୮ ରନ୍ ଆବଶ୍ୟକ କରୁଥିଲା । ତେବେ ଏହାର ପରବର୍ତ୍ତୀ ଓଭରରେ ଜୟନ୍ତ ଯାଦବ, କେଏଲ ଜେମିଏସନ, ଟିମ ସାଉଦୀଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ଶେଷ ଦୁଇଟି ୱିକେଟ ଭାରତକୁ ଶାଘ୍ର ମିଳିବା ପରେ ନ୍ୟୁଜିଲାଣ୍ଡ ୧୬୭ ରନ୍ରେ ଅଲଆଉଟ୍ ହୋଇଥିଲା ଓ ୩୭୨ ରନ୍ର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ଭାରତ ।
