ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ : ମୁଖ୍ୟମନ୍ତ୍ରୀ
ସାମ୍ବାଦିକଙ୍କୁ ହତ୍ୟା ଘଟଣାର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକଙ୍କୁ ହତ୍ୟା କରାଯିବା ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ମାଓବାଦୀଙ୍କ ଏହି ହିଂସାକାଣ୍ଡକୁ ଦୃଢ଼ ଭାବେ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ କଳାହାଣ୍ଡିର ସାମ୍ବାଦିକ ରୋହିତ ବିଶ୍ୱାଳ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।
ଅନ୍ୟପକ୍ଷରେ ଶନିବାର ପୂର୍ବହ୍ନରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସରକାର ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କର ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ଯେ ଅନୁକମ୍ପାମୂଳକ ରାଶି ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ । ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ମିଳିବ । ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି ।
