ବାତ୍ୟା ଆଶ୍ରୟସ୍ଥଳୀ କମିଟି ଗଠନରେ ଚଞ୍ଚକତା; ବିପର୍ଯ୍ୟୟ ମୁକାବିଲା ତାଲିମ କାର୍ଯ୍ୟକ୍ରମକୁ ବନ୍ଦ କଲେ ଗ୍ରାମବାସୀ
ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶତାଧିକ ଗ୍ରାମବାସୀଙ୍କ ଧାରଣା
ଲଙ୍ଗଳେଶ୍ୱର : ବାତ୍ୟା ଆଶ୍ରୟସ୍ଥଳୀ କମିଟି ଗଠନରେ ଚଞ୍ଚକତା ହୋଇଥିବା ଅଭିଯୋଗ କରି ବିପର୍ଯ୍ୟୟ ମୁକାବିଲା ତାଲିମ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ତାଲିମ ପାଇଁ ଆସିଥିବା ଓସ୍ଡାମା ଅଧିକାରୀମାନେ ଚମ୍ପଟ ମାରିଥିଲେ ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜମ୍ଭିରାଇ ପଞ୍ଚାୟତର ସମୁଦ୍ର ଉପକୂଳବର୍ତ୍ତୀ ଚାଉଳତି ଗ୍ରାମରେ ୯୫ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି, ମାତ୍ର ପଞ୍ଚାୟତର ସରପଞ୍ଚ ନିଲୁବାଳା ବେହେରା ବନ୍ୟା ଆଶ୍ରୟସ୍ଥଳୀ କମିଟି ଗଠନ ସମୟରେ କୌଣସି ଗ୍ରାମବାସୀଙ୍କୁ ନଡାକି ମନମୁଖୀ ଭାବରେ ଗ୍ରାମର ୬ ରୁ ୭ ଟି ପରିବାରର ଲୋକଙ୍କୁ ଡାକି ବେଆଇନ ଭାବରେ କମିଟି ଗଠନ କରିଛନ୍ତି । ୧୮ରୁ ୩୫ ବର୍ଷ ମଧ୍ୟରେ ବୟସ ବ୍ୟକ୍ତିଙ୍କୁ ସଦସ୍ୟ ଭାବରେ ରଖିବା ପାଇଁ ନିୟମ ରହିଥିଲେ ମଧ୍ୟ ୪୫ ଏବଂ ତଦୁର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ବେଆଇନ ଭାବରେ ମନୋନୀତ କରାଯାଇଛି । ସେହିପରି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ମଧ୍ୟ ସଦସ୍ୟ ରଖା ଯାଇଛି । ଏମିତିକି ସ୍ଥାନୀୟ ୱାର୍ଡ଼ ମେମ୍ବରଙ୍କୁ ମଧ୍ୟ ନଜଣାଇ ସରପଞ୍ଚ ମନମୁଖୀ ଭାବରେ କମିଟି ଗଠନ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ଗ୍ରାମବାସୀ ମାନେ ସରପଞ୍ଚ ଏବଂ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଗୁରୁବାର ଶତାଧିକ ଗ୍ରାମବାସୀ ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ପହଞ୍ôଚ ବିପର୍ଯ୍ୟୟ ମୁକାବିଲା ତାଲିମ କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପ୍ରଦିବାଦରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେଣୁ ବିଭାଗୀୟ କର୍ତ୍ତୁପକ୍ଷ ବେଆଇନ୍ ଭାବେ ଗଠନ ହୋଇଥିବା କମିଟି ବିଷୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନୂତନ କମିଟି ଗଠନ କରିବା ପାଇଁ ଗ୍ରାମବାସୀ ନିତ୍ୟାନନ୍ଦ ମଣ୍ଡଳ, ୱାର୍ଡ଼ ମେମ୍ବର ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ସୁପତୀ କାମିଳା, ଚନ୍ଦନ ଜେନା, ଗଣେଷ ମହାନ୍ତି, ବଂଶୀଧର ଖଣ୍ଡା, ପୂର୍ବତନ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ନାୟକ, ରବିନ୍ଦ୍ର କୁମାର ମହାନ୍ତି, ଶୀତଳ ମଣ୍ଡଳ, ନିତ୍ଯାନନ୍ଦ ଜେନା, କାହ୍ନୁ ସେଠୀ, ଶିବ ଗୋପାଲ ଦାସ, ଗୟା ପ୍ରସାଦ ଜେନା, ଚକ୍ରଧର ମହାନ୍ତି ପ୍ରମୁଖ ଦାବି କରିଛନ୍ତି ।
