ପ୍ରଶାସନ ସହ ଆଲୋଚନା କରି ୪ ଘଣ୍ଟା ପରେ ବିଡିଓଙ୍କୁ ଛାଡ଼ିଲେ ଗାଁ ଲୋକ
ବ୍ରହ୍ମପୁର : ପ୍ରଶାସନ ସହ ଆଲୋଚନା କରି ଦୀର୍ଘ ୪ ଘଣ୍ଟା ପରେ ବିଡିଓଙ୍କୁ ଛାଡ଼ିଲେ ଗାଁ ଲୋକ । ବିଡିଓ ମୁକୁଳିବା ନେଇ ବ୍ରହ୍ମପୁର ଉପଜିଲାପାଳ ଭି. କୀର୍ତିିଭାସନ ସୂଚନା ଦେଇଛନ୍ତି । ଭୋଟର ଲିଷ୍ଟରେ ନାଁ ନଥିବାରୁ ଏହାକୁ ବିରୋଧ କରି ବିଡିଓଙ୍କୁ ଦାୟୀ କରିବା ସହ ଅଟକ ରଖିଥିଲେ ।
ଗତ ୨୦ ତାରିଖରେ ପାତ୍ରପୁର ବ୍ଲକ୍ ତୁମ୍ବା ପଂଚାୟତରେ ମତଦାନ ସରିଛି । ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ସିଲ୍ ହୋଇଛି । ହେଲେ ଆଦିବାସୀ ଅଧ୍ୟୁଷିତ ଧାଡ଼ିଆମ୍ବ ଗାଁର ବହୁ ଲୋକ ମତଦାନରୁ ବଂଚିତ ହୋଇଥିଲେ । ଭୋଟ୍ ତାଲିକାରେ ନାଁ ନଥିବାରୁ ସେମାନେ ଭୋଟ୍ ଦେଇ ପାରି ନ ଥିଲେ । ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବୁଧବାର ପାତ୍ରପୁର ବିଡିଓ ପ୍ରକାଶ ଦାଶ ବିଦ୍ୟାଳୟ ରୂପାନ୍ତରିଣ କାମ ଦେଖି ଫେରୁଥିଲେ । ଏ ସମ୍ପର୍କରେ ଧାଡ଼ିଆମ୍ୱ ଗାଁର ମହିଳାମାନେ ଜାଣିପାରି ବିଡିଓଙ୍କୁ ବିଚ୍ ରାସ୍ତାରେ ଅଟକାଇ ଥିଲେ । ଆଉ ପ୍ରଶ୍ନ ପଚାରି ଘାଇଲା କରିଥିଲେ । ଭୋଟ୍ର ତାଲିକାରେ କାହିଁକି ନାଁ ନାହିଁ ବୋଲି ପଚାରିଥିଲେ? ଏହା ପରେ ମହିଳାମାନେ ବିଡିଓଙ୍କୁ ଗାଡ଼ିରୁ ଟାଣି ଗାଁ ଭିତରକୁ ନେଇ ଯାଇଥିଲେ । ତାଙ୍କୁ ଗାଁରେ ଅଟକ ରଖିଥିଲେ । ବିଡିଓ ଲିଖିତ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ତାଙ୍କୁ ଛାଡ଼ି ଥିଲେ ।
