ଭେଟେରାନ ମାଲାୟାଲମ ଅଭିନେତ୍ରୀ କେପିଏସି ଲଲିତାଙ୍କ ପରଲୋକ
ଥିରୁଅନନ୍ତପୁରମ୍ : ପରଲୋକରେ ଭେଟେରାନ ମାଲାୟାଲମ ଅଭିନେତ୍ରୀ କେପିଏସି ଲଲିତା। ଗତ ମଙ୍ଗଳବାର କୋଚିର ଏକ ଘରୋଇ ଡାକ୍ତଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଲଲିତା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ପାଞ୍ଚ ଦଶନ୍ଧି ଧରି ସେ ନିଜ ଯାଦୁଗରି ଅଭିନୟରେ ସଭିଙ୍କ ମନ ଜିଣିପାରିଥିଲେ । କେରଳ ଚଳଚ୍ଚିତ୍ର ଦୁନିଆରେ ସହ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ ଲଲିତା । ତାଙ୍କ ମୃତ୍ୟୁକୁ ନେଇ କେରଳରେ ଶୋକର ଛାୟା ଖେଳି ଯାଇଛି । ୧୯୯୯ରେ ରିଲିଜ ହୋଇଥିବା ‘ଅମରାମ’ ଓ ୨୦୦୦ ମସିହାର ‘ଶାନ୍ତମ୍ ‘ ଚଳଚିତ୍ର ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ |
ପାଞ୍ଚ ଦଶନ୍ଧି କ୍ୟାରିୟର ମଧ୍ୟରେ ସେ ୫୫୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକତ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଲଲିତା କେରଳ ସଙ୍ଗୀତ ନତାକା ଏକାଡେମୀରେ ଚେୟାରମ୍ୟାନର ଦାୟିତ୍ବ ଭାର ତୁଲାଇଛନ୍ତି। ସେ ଆଲାପୁଝାର କାୟାମକୁଲମରେ ସେ ଜନ୍ମଗ୍ରହଣ କରିଥିଲେ। ମହେଶ୍ବରୀ ଅମ୍ମା ଭାବେ ପରିଚିତ ଏହି ଅଭିନେତ୍ରୀ କେରଳର ଏକ ପ୍ରମୁଖ ଡ୍ରାମା ଟ୍ରୁପ କେପିଏସି ( କେରଳ ପିପୁଲସ ଆର୍ଟ୍ସ କ୍ଲବ) ରେ ଯୋଗ ଦେଇଥିଲେ | ତାଙ୍କୁ ନାଟକ ମଞ୍ଚରେ ଲଲିତା ନାମ ଦିଆଯାଇଥିଲା ଏବଂ ଯେତେବେଳେ ସେ ଚଳଚିତ୍ର ଦୁନିଆରେ ପାଦ ଦେଇଥିଲେ, ତାଙ୍କୁ କେପିଏସି ଟ୍ୟାଗ୍ ଦିଆଗଲା | ଲଲିତା ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ସ୍ବର୍ଗତ ଭାରତାନଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଲଲିତାଙ୍କ ପୁଅ ସିଦ୍ଧାର୍ଥ ମଧ୍ୟ ଜଣେ ଫିଲ୍ମ ନିର୍ମାତା ସହ ଅଭିନେତା ଭାବେ ବେଶ ପରିଚିତ।
ଅଭିନେତ୍ରୀ ଲଳିତାଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ଲଲିତା ଅଭିନୟ ଦକ୍ଷତା ସହିତ ଏକ ଯୁଗର ଅନ୍ତ ହୋଇଥିବା ସେ କହିଛନ୍ତି । ବିରୋଧୀଦଳ ନେତା ଭି ଡି ସାଥିସନ ମଧ୍ୟ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମାଲାୟାଲମ ସିନେମା ଏବଂ ନାଟକରେ ସେ ଜଣେ ଅନନ୍ୟ ପ୍ରତିଭା ବୋଲି କହିଛନ୍ତି । ସେ କହିଛନ୍ତି, ସେ ତାଙ୍କର ଅସାଧାରଣ ଅଭିନୟ ଦକ୍ଷତା ସହିତ ପ୍ରତ୍ୟେକ ଚରିତ୍ରକୁ ଏକ ସ୍ବତନ୍ତ୍ର ରୀପ ଦେବାରେ ସଫଳ ହୋଇଛନ୍ତି। ଜଣେ କଳାକାର ଭାବରେ ସେ ତାଙ୍କ ଚରିତ୍ରମାନଙ୍କୁ ସୂଚାରୁ ଭାବେ ତୁଲାଇଛନ୍ତି।
