ବିମାନ ଓ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେଉଛି
ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆର୍ସିଏସ୍ ଉଡ଼ାନ ଯୋଜନାରେ ବ୍ୟବସାୟିକ ବିମାନସେବା ଆରମ୍ଭ ହେବାର ମାତ୍ର ବର୍ଷକ ପରେ ବିମାନସେବାକୁ କରୋନା ମହାମାରୀ କବଳିତ କରି ରଖିଛି । ଦେଶର ପ୍ରମୁଖ ସହର ଗୁଡ଼ିକୁ ଆକାଶପଥରେ ସଂଯୋଗ କରୁଥିବା ଏହି ବିମାନବନ୍ଦରରେ ଦ୍ରୂତ ହାରରେ ଉଭୟ ଯାତ୍ରୀ ସଂଖ୍ୟା ଏବଂ ବିମାନ ସଂଖ୍ୟାରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା । ମାତ୍ର ଗତ ୨୦୨୦ ଅପ୍ରେଲ ମାସରୁ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ସାଂଘାତିକ ପ୍ରଭାବିତ ହୋଇ ଏବେ ସ୍ଥିତିରେ ପୁଣି ସାମାନ୍ୟ ଉନ୍ନତି ହେବାରେ ଲାଗିଛି । ବିମାନ ଓ ଯାତ୍ରୀ ସଂଖ୍ୟା ହ୍ରାସ ସହ ଆନୁପାତିକ ଭାବେ ରାଜସ୍ୱ ଆଦାୟ ମଧ୍ୟ ପ୍ରଭାବିତ ହୋଇ ଚାଲିଛି । ଝାରସୁଗୁଡ଼ା ବିମାନବନ୍ଦରରେ ବ୍ୟବସାୟିକ ବିମାନ ଚଳାଚଳର ଶୁଭାରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖ ଦିନ । ପ୍ରାରମ୍ଭରେ ଏୟାର ଓଡ଼ିଶା ପକ୍ଷରୁ ବିମାନ ଚଳାଚଳ ବିଫଳ ହେବା ପରେ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାରୁ ଘରୋଇ ବିମାନସେବା ପ୍ରଦାନକାରୀ ସ୍ପାଇସଜେଟ୍ ପକ୍ଷରୁ ଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦକୁ ବିମାନସେବା ଆରମ୍ଭ ହୋଇଥିଲା । ପରବର୍ତୀ ସମୟରେ ଏଲାୟନ୍ସ ଏୟାର ପକ୍ଷରୁ ରାୟପୁର, ଭୁବନେଶ୍ୱର, କୋଲକାତା ଆଦି ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେଲା । ଏବେ ସୁଦ୍ଧା ବାଙ୍ଗାଲୁରୁ, ଚେନ୍ନଇ, ମୁମ୍ବଇ, ପାଟନା ଆଦି ସ୍ଥାନକୁ ବି ବିମାନସେବା ଆରମ୍ଭ ହୋଇ ସାରିଛି । ବ୍ୟବସାୟିକ କ୍ଷତି ଅବା ଅନ୍ୟ କାରଣରୁ ପାଟନାକୁ ବିମାନସେବା ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ମୁମ୍ବଇ ଏବଂ ଚେନ୍ନଇକୁ ବିମାନ ସେବା ସାମୟିକ ବନ୍ଦ ରହିଛି । ଝାରସୁଗୁଡା ରୁ ଗୋଆ,ନାଗପୁର,ଚଣ୍ଡିଗଡ ନୂତନ ଭାବରେ ବିମାନସେବାପାଇଁ ଦାବି ହେଉଥିବା ବେଳେ ଭୂବେନେଶ୍ୱର,ଦିଲ୍ଳି କୁ ସେବା ବଢାଇବା ପାଇଁ ଯାତ୍ରୀ ମାନେ ଦାବି କରୁଛନ୍ତି । ଅନେକ ଯାତ୍ରିମାନେ ପ୍ରକାଶ କରିଛନ୍ତି ୍ଯେଉଁ ବିମାନ ଉଡ଼ାଣ ହାଇଦ୍ରାବାଦ, ବାଙ୍ଗାଲୁରୁ, ହେଉଛି ତାହାକୁ ଗୋଅ ପର୍ଯ୍ୟନ୍ତ ବୃଦ୍ଧି କଲେ ପଚିଂମ ଓଡିଶାର ଯାତ୍ରିମାନେ ଏହି ସେବା ପାଇ ପାରିବେ ।
ବିମାନବନ୍ଦର କର୍ତୃପକ୍ଷଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୯-୨୦ ବର୍ଷରେ ଝାରସୁଗୁଡ଼ା ବିମାନବନ୍ଦରରୁ ସମୁଦାୟ ୨ ଲକ୍ଷ ୧୫ ହଜାର ୯୪୮ ଜଣ ଯାତ୍ରୀ ଯାତାୟାତ କରିଥିବା ବେଳେ ୩ ହଜାର ୨୭୮ ବିମାନ ଉଡ଼ାଣ ଭରିଛି । ସେହିପରି ୨୦୨୦-୨୧ ବର୍ଷରେ ଯାତ୍ରୀ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ସାମାନ୍ୟ ହ୍ରାସ ପାଇ ୨ ଲକ୍ଷ ୬ ହଜାର ୭୨୭ ଏବଂ ଉଡ଼ାଣ ଭରିଥିବା ବିମାନ ସଂଖ୍ୟା ବୃଦ୍ଧି ପାଇ ୩ ହଜାର ୪୭୮ରେ ପହଂଚିଛି । ଚଳିତ ଆର୍ଥିକ ବର୍ଷ ପ୍ରାରମ୍ଭ ଅର୍ଥାତ ଅପ୍ରେଲ ମାସରେ ଯାତ୍ରୀ ସଂଖ୍ୟା ୧୯ ହଜାର ୧୨୮ ଏବଂ ଉଡ଼ାଣ ଭରିଥିବା ବିମାନ ସଂଖ୍ୟା ୩୪୬, ମେ\’ ମାସରେ ଯାତ୍ରୀ ସଂଖ୍ୟା ଗୁରୁତର ପ୍ରଭାବିତ ହୋଇ ୪୨୨୩ ଓ ବିମାନ ସଂଖ୍ୟା ୧୬୮, ଜୁନ୍ ମାସରେ ଯାତ୍ରୀ ସଂଖ୍ୟା ୧୨ ହଜାର ୫୯୨ ଓ ବିମାନ ସଂଖ୍ୟା ୨୯୨ ଏବଂ ଜୁଲାଇ ମାସରେ ଯାତ୍ରୀ ସଂଖ୍ୟା ୨୫ ହଜାର ୪୮୭ ଏବଂ ବିମାନ ସଂଖ୍ୟା ୩୯୬ରେ ପହଂଚିଛି । କରୋନାର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ବିମାନ ଯାତ୍ରାକୁ ନେଇ କଟକଣା ଏବଂ କୋଭିଡ୍ ପ୍ରୋଟୋକଲ୍ କାରଣରୁ ଯାତ୍ରୀ ସଂଖ୍ୟା ହ୍ରାସ ପାଇବା ସ୍ୱାଭାବିକ ଥିଲା । ହେଲେ ସମୟକ୍ରମେ କରୋନା ସଂକ୍ରମଣ ହ୍ରାସ ସହ ବିମାନସେବାରେ ଉନ୍ନତି ପରିଲକ୍ଷିତ ହେବା ସହ ଚଳିତ ଜୁଲାଇ ମାସରେ ଏଠାରୁ ବିମାନସେବାରେ ଆଶାନୁରୂପ ଉନ୍ନତି ହେବା ସହ ଆଶାର କିରଣ ପୁଣି ଥରେ ଦେଖା ଦେଇଛି । ତଥ୍ୟର ସମୀକ୍ଷାରୁ ଜଣାଯାଏ ଯେ ଚଳିତ ବର୍ଷ ଫେବୃଆରୀ ମାସରେ ଯାତ୍ରୀ ସଂଖ୍ୟାକୁ ନେଇ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । କରୋନର ଦ୍ୱିତୀୟ ଲହର ପୂର୍ବରୁ ଫେବୃଆରୀ ମାସରେ ସର୍ବାଧିକ ୩୪ ହଜାର ୩୩୪ ଜଣ ଯାତ୍ରୀ ଝାରସୁଗୁଡ଼ା ଦେଇ ବିମାନ ଯାତ୍ରା କରିଥିଲେ । କରୋନାର ସମ୍ଭାବ୍ୟ ପ୍ରଭାବ ତଥା ତୃତୀୟ ଲହର ଆଶଙ୍କା ଥିବାରୁ ଆଗକୁ ବିମାନସେବା ପୁଣିଥରେ ପ୍ରଭାବିତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ମାତ୍ର ଜୁଲାଇ ମାସରେ ଯେଭଳି ଯାତ୍ରୀ ସଂଖ୍ୟାରେ ଅଭିବୃଦ୍ଧି ଘଟିଛି ତାହା ଉତ୍ସାହପ୍ରଦ ବୋଲି କହିଛନ୍ତି ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି । ଆଇଏଲ୍ଏସ୍ ସ୍ଥାପନ ଓ କାର୍ଯ୍ୟକ୍ଷମ ହେବା ପରେ ପ୍ରତିକୂଳ ପାଗରେ ବିମାନ ବାତିଲ ସମସ୍ୟା କ୍ଷୀଣ ଥିବାରୁ ଆଗକୁ ବିମାନ ଯାତ୍ରୀ ସଂଖ୍ୟା ଏବଂ ଉଡ଼ାଣ ସଂଖ୍ୟା ବୃଦ୍ଧି ଘଟିବା ନିଶ୍ଚିତ । ଝାରସୁଗୁଡ଼ା ବୃଦ୍ଧିଜୀବି ମାନେ ଦୁଃଖ ପ୍ରକାଶ କରିଛନ୍ତି ଯେ ବିମାନବନ୍ଦରରକୁ ୧ବର୍ଷ ପୂର୍ବ ରୁ ଆସିଥିବା ନିର୍ଦ୍ଦେଶକ ଙ୍କୁ ବଦଳି କରା ଯାଇଛି । ନିର୍ଦ୍ଦେଶକ ମାନେ ୩ବର୍ଷ ରହିଲେ ଯାତ୍ରିମାନଙ୍କ ଅଭାବ ଅସୁବିଧା ଉପଲବଧି କରି ପଦକ୍ଷେପ ନେବା ରେ ସଫଳ ହୋଇ ପାରନ୍ତେ ।
