ଆଜିଠୁ ରାଜ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ଅପେକ୍ଷାର ଘଟିବ ଅନ୍ତ । ଆଜିଠୁ ଓଡ଼ିଶା ମାଟିରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ପୂର୍ବରୁ ମଇ ୧୫ ତାରିଖରେ ଏହାର ଶୁଭାରମ୍ଭ ନେଇ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ପରେ ଏହାକୁ ପରିବର୍ତ୍ତନ କରାଯାଇ ୧୮ ତାରିଖ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ଼ରେ ଏହି ସେମି ହାଇ ସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ। ତେବେ ଏନେଇ ଟ୍ରେନର ସମୟ ସାରଣୀ ସାମ୍ନାକୁ ଆସିଛି । ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାର ବାଦ ସପ୍ତାହର ଅନ୍ୟ ଦିନରେ ଚଳାଚଳ କରିବା ନେଇ ସୂଚନା ରହିଛି ।
ବନ୍ଦେ ଭାରତ ଏକ୍ସପ୍ରେସ ସମୟ ସାରଣୀ :
ପୁରୀରୁ ଏହି ଟ୍ରେନ ଦିନ ୧.୫୦ ମିନିଟ୍ ରେ ଛାଡ଼ିବ । ସେହି ଦିନ ସନ୍ଧ୍ୟା ସାଢେ ୮ଟାରେ ଏହା ହାୱଡ଼ାରେ ପହଞ୍ଚିବ। ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ ମିନିଟରେ ବାହାରି ଦିନ ୧୨ଟା ୩୫ ମିନିଟରେ ପୁରୀରେ ପହଁଞ୍ଚିବ। ପୁରୀ ଷ୍ଟେସନରୁ ଛାଡ଼ିବା ପରେ ଟ୍ରେନଟି ଖୋର୍ଦ୍ଧା ରୋଡ଼, ଭୁବନେଶ୍ବର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ଖଡ଼ଗପୁର ଷ୍ଟେସନରେ ରହିବ ।
ପ୍ରକାଶଥାଉ କି, ପୁରୀ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଚେନ୍ନାଇ ପେରାମ୍ବରୁ ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଏକ୍ସପ୍ରେସରେ ମୋଟ ୧୬ଟି କୋଚ୍ ରହିଛି । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ । ଯାହା ଫଳରେ ହାୱଡ଼ାରୁ ପୁରୀ ଯାତ୍ରା ପ୍ରାୟ ୨ ଘଣ୍ଟା କମିଯିବ । ଟ୍ରେନ ଚାଲୁଥିବା ଯାଏଁ ଡ଼ୋର ଖୋଲିବ ନାହିଁ । ସେହିପରି ଟ୍ରେନର ଡ଼ୋର ବନ୍ଦ ନହେବା ଯାଏଁ ଏହା ଚାଲିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଅଟୋମେଟିକ୍ କ୍ଲୋଜିଂ ଡ଼ୋରର ବ୍ୟବସ୍ଥା କରାଯାଇଛି । ପ୍ରତି କୋଚ୍ ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ତୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ରହିଛି । ଏଥିରେ ୧୧୨୮ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୧୪ ଏସି ଚେୟାର କାର କୋଚ୍ ଓ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ୍ ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୯ଟି ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ।
ସୂଚନା ଥାଉ କି, ଗତ ମାସ ଏପ୍ରିଲ ମାସ ୨୮ ତାରିଖରେ ଏହାର ପ୍ରଥମ ଟ୍ରାଏଲ ରନ୍ କରାଯାଇଥିଲା। ଟ୍ରାଏଲ ରନ୍ ପାଇଁ ହାୱାଡାରୁ ପୁରୀ ଯାଇଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ସକାଳ ୬ ଟା ୧୦ରେ ହାୱାଡା ଷ୍ଟେସନରୁ ଛାଡିଥିବା ଏହି ଟ୍ରେନ୍ ଖଡ଼ଗପୁର,ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ୍ ଲେଖାଏଁ ରହଣି କରିବା ପରେ ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିଲା। କିଛି ସମୟ ପୁରୀରେ ରହିବା ପରେ ଅପରାହ୍ନ ୧ଟା ୫୦ ମିନିଟ୍ ରେ ଏହା ପୁରୀ ଛାଡ଼ି ରାତି ୮ଟା ୩୦ରେ ହାଓ୍ବାଡା ଅଭିମୁଖେ ଯାତ୍ରା କରିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।
