ଉତ୍ତର ପ୍ରଦେଶ କୃଷକ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚରେ ହାଜର ହେଲେ ଆଶିଷ ମିଶ୍ର
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲଖିମ୍ପୁର ଖେରିରେ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ଅଭିଯୋଗ ହେଉଥିବା ଆଶିଷ ମିଶ୍ରା ପଚରାଉଚରାର ସମ୍ମୁଖୀନ ହେବାକୁ ଆଜି ଲଖିମ୍ପୁର ପୋଲିସ୍ ଲାଇନ୍ସ୍ଥିତ କ୍ରାଇମ୍ ବ୍ରାଞ୍ଚ୍ ଅଫସିରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଉତ୍ତର ପ୍ରଦେଶ ପୋଲିସ ଆଗରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ଆଶିଷ କ୍ରାଇମ୍ ବ୍ରାଞ୍ଚ୍ ଅଫିସ୍ରେ ପହଞ୍ଚିବା ପରେ ପଚରାଉଚରା ଆରମ୍ଭ ହୋଇଥିବା କଥା ଉତ୍ତର ପ୍ରଦେଶ ପୋଲିସ ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ର (ଏସ୍ଆଇଟି) ‘ଡିଆଇଜି’ ସୁନିଶ୍ଚିତ କରି କହିଛନ୍ତି। ଲଖିମ୍ପୁର ହିଂସାକାଣ୍ଡ ମାମଲା ତଦନ୍ତ କରିବା ପାଇଁ ଉକ୍ତ ଟିମ୍ ଗଠନ କରାଯାଇଥିଲା।
ପୋଲିସ ତାଙ୍କୁ ପଚରା ଉଚରା କରିବାକୁ ଶୁକ୍ରବାର ଦିନ ହାଜର ହେବାକୁ ସମନ ପଠାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଏହାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହାର ଆଶିଷଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ସାନି ନୋଟିସ ପଠାଯାଇ ତାଙ୍କୁ ଶନିବାର ଦିନ ହାଜର ହେବାକୁ କୁହାଯାଇଥିଲା । ସେହି ଆଧାରରେ ସେ ଶନିବାର ପୂର୍ବାହ୍ନ ୧୧ଟାରେ କ୍ରାଇମ ବ୍ରାଞ୍ଚ ନିକଟରେ ପହଞ୍ଚିଥିଲେ । ପୂର୍ବରୁ ତାଙ୍କ ବାପା ଅଜୟ ମିଶ୍ର କହିଥିଲେ ଯେ ଆଶିଷ ସୁସ୍ଥ ଅନୁଭବ କରୁନଥିବାରୁ ସେ ଶୁକ୍ରବାର ଦିନ ହାଜର ହୋଇପାରିନାହିଁ । ତେବେ ସେ ନିଶ୍ଚିତ ଭାବରେ ହାଜର ହେବ । ଆଇନ ଉପରେ ତାଙ୍କର ଦୃଢ ବିଶ୍ୱାସ ରହିଛି । ସେମାନେ ତଦନ୍ତ ପ୍ରକ୍ରିୟା ସହିତ ପୂର୍ଣ୍ଣ ସହଯୋଗ କରିବେ । ଆଶିଷ ମିଶ୍ର ପୁଲିସ ନିକଟରେ ହାଜର ହେବା ପୂର୍ବରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସୂଚନା ଯେ, କୃଷକଙ୍କ ଉପରେ ଗାଡି ଚଢାଇ ଚାରିଜଣଙ୍କୁ ମାରି ଦିଆଯିବା ଘଟଣାରେ ଦିଆଯାଇଥିବା ଏତଲାୋର ଆଶିଷଙ୍କ ନାମ ରହିଛି । କୃଷକମାନେ ଦାବି କରିଛନ୍ତି ଯେ କୃଷକଙ୍କ ଉପରେ ମାଡି ଯାଇଥିବା ଗାଡିଗୁଡିକ ମଧ୍ୟରୁ ଗୋଟିକରେ ଆଶିଷ ମିଶ୍ର ରହିଥିଲେ । ତେବେ ଏହାକୁ ଉଭୟ ଆଶିଷ ଓ ତାଙ୍କ ବାପା ଅଜୟ ମିଶ୍ର ଦୃଢ ଭାବରେ ଖଣ୍ଡନ କରିବା ସହିତ କହିଆସୁଛନ୍ତି ଯେ ଆଶିଷ ସେଠାରେ ଉପସ୍ଥିତ ନଥିଲେ ।
