ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ! ଆଜି ଲକ୍ଷ୍ନୌରେ ଜନସଭାକୁ ସମ୍ବୋଧିତ କରିବେ ଅରବିନ୍ଦ କେଜ୍ରିଓ୍ବାଲ
ଲକ୍ଷ୍ନୌ : ଜାତୀୟ ରାଜନୀତିରେ ବିଶେଷ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ନିକଟବର୍ତ୍ତୀ ହେଉଥିବାବେଳେ ରାଜନୈତିକ ଦଳମାନେ ନିଜର ନିର୍ବାଚନୀ ରଣନୀତି ମଧ୍ୟ ଆରମ୍ଭ କରିସାରିଲେଣି । ଆଜି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲକ୍ଷ୍ନୌରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଏନେଇ ଦଳ ପକ୍ଷରୁ ସୂଚନା ମିଳିଛି ।
କେଜ୍ରିଓ୍ବାଲଙ୍କ ଏହି ସମାବେଶ ପାଇଁ ଆପ ନେତାମାନେ ଦଳର ଅଭିମୁଖ୍ୟ ନେଇ ଲୋକଙ୍କ ପାଖକୁ ଯିବା ସହ ସମର୍ଥନ ଯୋଗାଡ କରିବାରେ ଲାଗି ପଡିଛନ୍ତି । ରାଜ୍ୟରେ ଆପ କ୍ଷମତାକୁ ଆସିଲେ ଦେୟମୁକ୍ତ ବିଦ୍ୟୁତ୍ ଯୋଗାଣ, ୧୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଏବଂ ବେକାରୀ ଭତ୍ତା ଭଳି ଏକାଧିକ ପ୍ରତିଶ୍ରୁତି ଦେଇସାରିଛି । ଏହା ପୂର୍ବରୁ ନଭେମ୍ବର ୨୮ ତାରିଖରେ ଏହି ସମାବେଶ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ସୂଚୀରେ ପରିବର୍ତ୍ତନ କରାଯାଇଥିଲା ।
ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଦଳ କ୍ଷମତାକୁ ଆସିଲେ ରଖାଯାଇଥିବା ଭିଜନ ସମ୍ପର୍କରେ ଘୋଷଣା କରିଥିଲେ । କ୍ଷମତାକୁ ଆସିଲେ ଆପ ପ୍ରଦେଶରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା ସହ ପ୍ରତିବର୍ଷ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ଏବଂ ଉତ୍ତର ପ୍ରଦେଶର ବେକାରଙ୍କୁ ମାସିକ ୫,୦୦୦ ଟଙ୍କା ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଥିଲେ ।
୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି । ଗତ ତଥା ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୨୨ ବିଧାନସଭା ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଥିବାବେଳେ ମୋଟ ୩୯.୬୭ ପ୍ରତିଶତ ଭୋଟ୍ ହାସଲ କରିବାରେ ସଫଳ ହୋଇଥିଲା । ଅଖିଲେଶଙ୍କ ସମାଜବାଦୀ ପାର୍ଟି ୪୭ଟି ଆସନ, ମାୟାବତୀଙ୍କ ବିଏସପି ୧୯ ଟି ଆସନ ହାତେଇବାରେ ସଫଳ ହୋଇଥିଲା । ସେହିପରି ଅନ୍ୟତମ ପ୍ରମୁଖ ଦଳ କଂଗ୍ରେସ କେବଳ ୭ଟି ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଥିଲା ।
