ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨ୟ ପର୍ଯ୍ୟାୟରେ ୬୨.୮୨% ମତଦାନ
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସୋମବାର ୨ୟ ପର୍ଯ୍ୟାୟରେ ୯ଟି ଜିଲ୍ଲା ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଳ, ରାମପୁର, ଅମରୋହା, ବଦାୟୁ, ଶାହଜହାଁପୁର ଓ ବରେଲିର ୫୫ଟି ଆସନରେ ମତଦାନ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ଥିଲା । ଏହି ପର୍ଯ୍ୟାୟରେ ରାଜ୍ୟର ପାଖାପାଖି ୨.୨ କୋଟି ମତଦାତା ନିଜର ଅଧିକାର ସାବ୍ୟସ୍ତ କରିବାର ଥିଲା । କିନ୍ତୁ ଏଥିରୁ ୬୨.୮୨ ପ୍ରତିଶତ ମତଦାତା ମତଦେୟ ସ୍ଥଳକୁ ଆସି ଭୋଟ ଦେଇଥିଲେ ।
୨ୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ୧.୦୮ କୋଟି ପୁରୁଷ, ୯୪ ଲକ୍ଷ ମହିଳା ଓ ୧୨୬୯ ଜଣ କିନ୍ନର ମତଦାତା ଅଛନ୍ତି । ଏହି ପର୍ଯ୍ୟାୟରେ ୫୮୬ ଜଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରୁ ୬୯ ଜଣ ହେଉଛନ୍ତି ମହିଳା । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଗତ ୧୦ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିଲା । ପଶ୍ଚିମ ଉତ୍ତର ପ୍ରଦେଶର ୧୧ଟି ଜିଲ୍ଲାର ୫୮ଟି ଆସନରେ ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା । ତେବେ ରାଜ୍ୟରେ ୨ଟି ପର୍ୟ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଏବେ ୩ୟ ପର୍ୟ୍ୟାୟ ମତଦାନ ଉପରେ ସମସ୍ତଙ୍କ ନଜର ରହିବ ।
