ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୨ : ସରିଲା ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ
ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମାର୍ଚ୍ଚ ୭ ତାରିଖ ସୋମବାର ଅନୁଷ୍ଠିତ ହୋଇଯାଇଛି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ରାଜ୍ୟର ବାରଣାସୀ, ଚନ୍ଦୌଲି, ଭଦୋହୀ, ମିର୍ଜାପୁର, ସୋନଭଦ୍ରା, ଗାଜିପୁର, ମଉ, ଆଜମଗଡ଼, ଜୌନପୁର ପ୍ରଭୃତି ୯ ଜିଲ୍ଲାର ୫୪ ଆସନରେ ହୋଇଥିଲା ମତଦାନ। ଏଠାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୪.୧୮% ମତଦାନ ହୋଇଛି।
ଅନ୍ତିମ ପର୍ଯ୍ୟାୟରେ ୭୫ ଜଣ ମହିଳାଙ୍କୁ ମିଶାଇ ମୋଟ ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୨.୦୬ କୋଟି ମତଦାତା। ସପ୍ତମ ପର୍ଯ୍ୟାୟରେ ରାଜ୍ୟର ୧୨ ହଜାର ୨୧୦ ମତଦାନ କେନ୍ଦ୍ରରେ ହୋଇଥିଲା ଭୋଟ ଗ୍ରହଣ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ରାଜ୍ୟର ମୋଟ ୪୦୩ ବିଧାନସଭା ଆସନରେ ଶେଷ ହୋଇଛି ମତଦାନ। ସପ୍ତମ ପର୍ଯ୍ୟାୟରେ ରାଜ୍ୟର ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ମତଦାତା ନିର୍ଦ୍ଧାରଣ କରିଛନ୍ତି ସେମାନେ ହେଉଛନ୍ତି ବାରାଣାସୀ ଦକ୍ଷିଣ ଆସନରୁ ମନ୍ତ୍ରୀ ନୀଳକଣ୍ଠ ତିୱାରୀ, ଶିବପୁର ଆସନରୁ ମନ୍ତ୍ରୀ ଅନିଲ ରାଜଭାର, ବାରଣାସୀ ଉତ୍ତର ଆସନରୁ ରବୀନ୍ଦ୍ର ଜାୟସୱାଲ, ଜୌନପୁର ଆସନରୁ ମନ୍ତ୍ରୀ ଗିରୀଶ ଯାଦବ, ମଡ଼ିହାନ-ମିର୍ଜାପୁର ଆସନରୁ ମନ୍ତ୍ରୀ ରାମଶଙ୍କର ପଟେଲ। ଏହା ବ୍ୟତୀତ ବିଧାନସଭା ନିର୍ବାଚନ ପୂର୍ବରୁ ଘୋସି ଆସନରୁ ବିଜେପି ଛାଡି଼ ସମାଜବାଦୀ ପାର୍ଟି ହାତ ଧରିଥିବା ପୂର୍ବତନ ମନ୍ତ୍ରୀ ଦାରା ସିଂହ ଚୌହାନ, ଜହୁରବାଦ ଆସନରୁ ପୂର୍ବତନ ମନ୍ତ୍ରୀ ଓମ ପ୍ରକାଶ ରାଜଭାର, ମଉ ସଦର ଆସନରୁ ମାଫିଆ ତଥା ବାହୁବଳୀ ରାଜନେତା ମୁଖତାର ଅନସାରୀଙ୍କ ପୁଅ ଅବ୍ବାସ ଅନସାରୀ ଏବଂ ମହ୍ଲାନି ଆସନରୁ ପୂର୍ବତନ ବାହୁବଳୀ ସାଂସଦ ଧନଞ୍ଜୟ ସିଂହଙ୍କ ଭାଗ୍ୟ ନିର୍ଦ୍ଧାରଣ କରିନ୍ତି ମତଦାତା।
