ଉତ୍କଳା କଲଚୁରାଲ ଏକାଡ଼େମୀ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା, ୨୮୭ ଜଣ ଉପକୃତ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ନଗ୍ରମ ଗ୍ରାମପଞ୍ଚାୟତର ଫୁଲୱାର କସବା ପ୍ରାଥମିକ ବିଦ୍ୟାଳୟରେ ଉତ୍କଳା କଲଚୁରାଲ ଏକାଡ଼େମୀର ସହଯୋଗରେ ମଙ୍ଗଳବାର ଏକ ମାଗଣା ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ନଗ୍ରମ, କହଁରାକୁଳ, ଖେଦରପୁର, କାଜିବାଗ, ଟିକିରାପାଳ ଭଳି ଆଖପାଖ ୧୨ଟି ଗ୍ରାମରୁ ୨୮୭ ଜଣ ମାଗଣା ସ୍ୱାସ୍ଥ୍ୟ ସେବା ପାଇଥିଲେ ।
ଏକାଡ଼େମୀର ଅଧ୍ୟକ୍ଷ ବିକ୍ରମ ବାରିକଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ନଗ୍ରମ ସରପଞ୍ଚ ସର୍ବେଶ୍ୱର ମହାନ୍ତି ଶିବିରକୁ ଉଦ୍ଘାଟନ କରି ଏକାଡ଼େମୀର ଏହିଭଳି ଜନହିତ କାର୍ଯ୍ୟ ଓ ମାଗଣା ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମିତିସଭ୍ୟା ବନିତା ଭୂୟାଁ ଯୋଗଦେଇ ଏହିଭଳି ଶିବିର ଯୋଗୁଁ ଗ୍ରାମାଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବାରେ ଉପକୃତ ହୋଇପାରୁଥିବାର କହିଥିଲେ । କାର୍ଯ୍ୟକ୍ରମରେ ଡା. ପ୍ରିତମ ମହାନ୍ତି ଓ ଡା. ଜ୍ୟୋର୍ତିମୟ ଚୌଧୁରୀ ଯୋଗଦେଇ ରୋଗୀମାନଙ୍କ ଚିକିତ୍ସା କରିଥିଲେ । ରବିନ୍ଦ୍ର କୁମାର ଯେନା, ଏଏନ୍ଏମ୍ ସୁଶମା ମହାରଣା, ସାମାଜିକ କର୍ମୀ ସୁଶାନ୍ତ ନାୟକଙ୍କ ସହ ଉତ୍କଳା କଲଚୁରାଲର ସମସ୍ତ ସଦସ୍ୟାସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଯୁବ ସମାଜସେବୀ ଶ୍ରୀକାନ୍ତ ବୁଗୁଡାଇ ଧନ୍ୟବାଦ ଦେଇଥିଲେ ।
