ବାଲେଶ୍ୱରରେ ଅଜଣା ପୋକ ଆତଙ୍କ, ଲୋକେ ଭୟଭୀତ
ବାଲେଶ୍ୱର : ବାଲେଶ୍ୱରରେ ଅଜଣା ପୋକ ଆତଙ୍କ । ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଅଧୀନସ୍ତ ଜମ୍ବେଶ୍ୱରପୁର ବଡ଼ଖୁଆଆଡ଼ି ହରିଜନସାହିରେ ଗତ ୨ଦିନ ଧରି ହଜାର ହଜାର ମାତ୍ରାର କଳା ଓ ନାଲି ରଙ୍ଗଧାରୀ ଉକ୍ତ ପୋକ ଗ୍ରାମ ମୁହାଁ ହୋଇଛନ୍ତି । ପୋକଗୁଡ଼ିକ ଘରେ ପଶିବା ସହ ବିଛଣା ଠାରୁ ଆରମ୍ଭ କରି ବାସନକୁସନରେ ଲାଗି ରହୁଛନ୍ତି । ଏପରିକି ପୋକ ଗୁଡ଼ିକ ଲୋକମାନଙ୍କୁ କାମୁଡ଼ି ମଧ୍ୟ ଦେଉଛନ୍ତ । କାମୁଡ଼ି ଥିବା ସ୍ଥାନରେ କୁଣ୍ଡେଇ ହୋଇ ଫୁଲିବା ପରେ ଯନ୍ତ୍ରଣା ହେଉଛି । ଏନେଇ ଲୋକଙ୍କ ମଧ୍ୟରେ ଏକପ୍ରକାରର ଆତଙ୍କ ଖେଳିଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଅଜଣା ପୋକ ସମ୍ପର୍କରେ ଗ୍ରାମର କିଛି ଲୋକ ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ଗ୍ରାମରେ ପହଞ୍ôଚ ପୋକଗୁଡ଼ିକୁ ଦେଖିଥିଲେ ହେଁ ଏହା କେଉଁ ପ୍ରକାରର ଓ ଏହାର ନିରାକରଣ କ’ଣ ସେନେଇ କିଛି କହିପାରିନଥିଲେ । ପରେ ପ୍ରାଣୀ ଚିକିତ୍ସା ବିଭାଗ (ଭେଟେନାରୀ) ବାଲେଶ୍ୱର ଅଫିସ୍କୁ ମଧ୍ୟ ଖବର ଦିଆଯାଇଥିଲା । ସେମାନଙ୍କର ଏକ ଟିମ୍ ପହଞ୍ôଚ ଘଟଣାସ୍ଥଳରେ ଅନୁଧ୍ୟାନ କରି ସେମାନେ ମଧ୍ୟ ଏଥିରେ ଅସମର୍ଥତା ପ୍ରକାଶ କରିଥିଲେ ।

ଏନେଇ ଖବରପାଇ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଶାନ୍ତା ଦାସ ଓ ସୁଧାକର ସେଠୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଦୁଃଖଦୁର୍ଦ୍ଦଶା ବୁଝିବା ସହ କୃଷି ବିକାଶ କେନ୍ଦ୍ର (ଓୟୁଏଟି) ଭୁବନେଶ୍ୱର ସହ ଯୋଗାଯୋଗ କରିଥିଲେ । ଓୟୁଏଟିର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଗ୍ରାମରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ୱତନ୍ତ୍ର ଟିମ୍ର କହିବାନୁସାରେ, ପୋକଗୁଡ଼ିକ ପେଣ୍ଟିମିଡ୍ ବଗ୍ ପ୍ରଜାତିର । ପରିବେଶର ଶୁଷ୍କତା ପାଇଁ ଜନ୍ମ ନେଇଥାନ୍ତି । ଏମାନେ ଅଧିକ କ୍ଷତିକାରକ ନ ହୋଇଥିଲେ ମଧ୍ୟ ସାବଧାନର ସହ ଚଳାଚଳ କରିବା ପାଇଁ ସ୍ଥାନୀୟ ଲୋକଙ୍କୁ କହିଥିଲେ । ଏଥିସହିତ ଘର ଭିତର ଓ ଚତୁଃପାଶ୍ୱର୍ ପରିଷ୍କାର ରଖିବା, ପାଣି ଜମିବାକୁ ନ ଦେବା ସହ ଅଳିଆ ଜମା କରି ନ ରଖିବାକୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ପରିଷ୍କାର ଓ ପରିଚ୍ଚନ୍ନତା ରହିଲେ ପୋକମାନେ ଆପେ ଆପେ ସ୍ଥାନ ଛାଡ଼ି ପଳାଇବେ । ପୋକଗୁଡ଼ିକ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରନ୍ତି ନାହିଁ କିମ୍ବା ଚାଷ ମଧ୍ୟ ନଷ୍ଟ କରି ନ ପାରିବାର ପ୍ରକାଶ କରିଥିଲେ ।
