ଉତ୍ତର କୋରିଆରେ ଅଜଣା ଜ୍ୱର ଆତଙ୍କ; ଔଷଧ ଦୋକାନରେ ସେନା ମୁତୟନ କଲେ କିମ୍
ପ୍ୟୋଙ୍ଗୟାଙ୍ଗ : କୋରୋନା ସଙ୍କଟ ବେଳେ ଉତ୍ତର କୋରିଆରେ ଏକ ଅଜଣା ଜ୍ୱର ଆତଙ୍କ ଖେଳାଇଛି। ବର୍ତ୍ତମାନ ସୁଦ୍ଧା ସାଢେ ୧୪ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଉତ୍ତର କୋରିଆ ‘ପ୍ରଥମ’ କୋଭିଡ-୧୯ ମାମଲା ଘୋଷଣା କରିବାର କିଛି ଦିନ ପରେ, ଦେଶରେ ଏକ ସନ୍ଦିଗ୍ଧ ‘ଜ୍ୱର’ ବ୍ୟାପିଛି। ଏହାର ମୁକାବିଲା କରିବା ପାଇଁ ଔଷଧ ଦୋକାନରେ ସେନା ମୁତୟନ କରାଯାଇଛି। ଏପରିକି ଶାସକ ୱାର୍କର୍ସ ପାର୍ଟିର ଶକ୍ତିଶାଳୀ ପୋଲିତ ବୁରୋର ବରିଷ୍ଠ ସଦସ୍ୟମାନେ ଔଷଧ ଦୋକାନ ଏବଂ ଔଷଧ ପରିଚାଳନା କାର୍ଯ୍ୟାଳୟ ପରିଦର୍ଶନ କରୁଛନ୍ତି।
କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) ମଙ୍ଗଳବାର ଏକ ରିପୋର୍ଟରେ କହିଛି ଯେ, କିମ ଜୋଙ୍ଗ ଉନ୍ ଔଷଧର ଅପ୍ରଭାବୀ ବିତରଣକୁ ସମାଲୋଚନା କରିବା ପରେ ସମସ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରହସ୍ୟମୟ ଜ୍ୱରରେ ଉତ୍ତର କୋରିଆର ଆଉ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହ ଦେଶରେ ଏହି ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଦିନକରେ ଆଉ ୨ ଲକ୍ଷ ୬୯ ହଜାର ୫୧୦ ଜଣଙ୍କଠାରେ ଜ୍ୱରର ଲକ୍ଷଣ ମିଳିଛି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୬୦କୁ ପହଞ୍ଚିଛି। ବର୍ତ୍ତମାନ ୬ ଲକ୍ଷ ୬୩ ହଜାର ୯୧୦ ଜଣ ସନ୍ଦିଗ୍ଧ ରୋଗୀ ଚିକିତ୍ସିତ ହେଉଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, କିମଙ୍କ ନିର୍ଦ୍ଦେଶରେ କୋରିଆର ପିପୁଲ୍ସ ଆର୍ମି ଗ୍ରାଉଣ୍ଡ ଫୋର୍ସକୁ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ସମସ୍ତ ଫାର୍ମାସିରେ ନିୟୋଜିତ କରାଯାଇଛି। ସୋମବାର ପ୍ରାୟ ୧୧ ହଜାର ଅଧିକାରୀ, ଶିକ୍ଷକ ଏବଂ ଡାକ୍ତରୀ ଛାତ୍ର ‘ଜ୍ୱର’ର ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ଏବଂ ଚିକିତ୍ସା କରିବା ପାଇଁ’ ସମସ୍ତ ବାସିନ୍ଦାଙ୍କ ପରୀକ୍ଷଣ’ରେ ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ରାଜଧାନୀ ପ୍ୟୋଙ୍ଗୟାଙ୍ଗ କୋରୋନାର ହବ୍ ପାଲଟିଛି। ତେଣୁ ସେଠାରେ ବ୍ୟାପୁଥିବା ରହସ୍ୟମୟ ଜ୍ୱର କୋରୋନାର ଲକ୍ଷଣ ହୋଇଥାଇ ପାରେ ବୋଲି ବିଶ୍ୱାସ କରାଯାଉଛି। ପଡୋଶୀ ଦକ୍ଷିଣ କୋରିଆ ଟିକା, ମାସ୍କ ଏବଂ ପରୀକ୍ଷଣ କିଟ୍ ସମେତ ଚିକିତ୍ସା ଉପକରଣ ପଠାଇବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ କିମ୍ ଏପର୍ଯ୍ୟନ୍ତ ପ୍ରସ୍ତାବ ଗ୍ରହଣ କରି ନାହିଁନ୍ତି। ଉତ୍ତର କୋରିଆର ପରିସ୍ଥିତିକୁ ନେଇ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି। ଉତ୍ତର କୋରିଆ ଗତ ଗୁରୁବାର ପ୍ରଥମ କୋଭିଡ-୧୯ ମାମଲାକୁ ସ୍ୱୀକାର କରିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାପାଇଁ କିମ ଦେଶବ୍ୟାପୀ ଲକଡାଉନ ନିର୍ଦ୍ଦେଶ ଦେଇଛନ୍ତି।
କେସିଏନଏ କହିଛି ଯେ, ଦେଶର ସମସ୍ତ ପ୍ରଦେଶ, ସହର ଏବଂ ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ୱାର୍କିଂ ୟୁନିଟ୍, ପ୍ରଡକ୍ସନ୍ ୟୁନିଟ୍ ମଧ୍ୟ ବନ୍ଦ ରହିଛି। ବର୍ତ୍ତମାନ ଉତ୍ତର କୋରିଆରେ ପ୍ରତିଦିନ ବହୁ ସଂଖ୍ୟକ ନୂଆ ମାମଲା ଦେଖାଯାଉଛି। ଉତ୍ତର କୋରିଆ ଗୁରୁବାର ନିଶ୍ଚିତ କରିଛି ଯେ, ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଅଧିକ ଓମିକ୍ରନ୍ ଭ୍ୟାରିଆଣ୍ଟର ମାମଲା ଦେଖିବାକୁ ମିଳିଛି। ଯାହାକୁ ନେଇ ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ କହିଛନ୍ତି ଯେ, ମହାମାରୀର ବିସ୍ଫୋରଣ ଦେଶରେ ‘ବଡ ଅସ୍ଥିରତା’ ସୃଷ୍ଟି କରିଛି।
