ଫସଲ ବୀମା ରାଶି ନେଇ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ ଅବଗତ କରାଇଲେ
ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାରଙ୍କୁ ଜଣାଇବା ନେଇ ପ୍ରତିଶ୍ରୁତି ଦେଲେ କୃଷି ମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଂଗଠନର ଅପେକ୍ଷା କ୍ରମେ ପୁଣି ଥରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଏକ ଚିଠି ପ୍ରଦାନ କରିଛନ୍ତି ।
ଓଡ଼ିଶା ସମେତ ବରଗଡ଼ ଜିଲ୍ଲା ଓ ପଦ୍ମପୁର ଅଂଚଳର ଚାଷୀଙ୍କ ବୀମାରାଶି ଏବଂ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ଫସଲ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର ଚାଷୀଙ୍କ ସମସ୍ୟାକୁ ବୁଝିବା ସହ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବରଗଡ଼ ଗସ୍ତ ସମୟରେ ସେଠାକାର ଚାଷୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ଏଚଏଡିଏଫସି ଆର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ମାଧ୍ୟମରେ ୨୦୨୧ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବୀମାରାଶିକୁ ପୁଣି ଥରେ ସମୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ବୀମାରାଶି ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ଏଚଡିଏଫସି ଆର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ବରଗଡ଼ ଜିଲ୍ଲାର ପାଇକମାଳ, ଝରାବନ୍ଧ, ପଦ୍ମପୁର, ଗାଇସିଲେଟ୍, ସୋହେଲା ଏବଂ ବିଜେପୁର ବ୍ଲକରେ ୨୦୨୧ ଖରିଫ ଋତୁରେ ମରୁଡି ପରିସ୍ଥିତି ଯୋଗୁଁ କ୍ଷୟକ୍ଷତି ହୋଇଥିବା ଚାଷର ବୀମା ଅର୍ଥ ବହୁତ କମ୍ ପ୍ରଦାନ କରିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ । ଓଡ଼ିଶା ସରକାର ଓ ବୀମା କମ୍ପାନୀ ଦ୍ୱାରା ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ତଥ୍ୟ ଯୋଗୁଁ ସ୍ୱଳ୍ପ ବୀମାରାଶି ମିଳିଥିବା ସେମାନେ କହିଥିଲେ ।
ଅନେକ ଗ୍ରାମ ପଂଚାୟତରେ ୭୬.୫୬ ହାରରେ ବୀମାରାଶି ମିଳିବାର ଆଶା କରାଯାଉଥିବା ବେଳେ ମାତ୍ର ୫ ପ୍ରତିଶତ ବୀମାରାଶି ପୈଠ କରାଯାଇଛି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବେସରକାରୀ ବୀମା କମ୍ପାନୀ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ମିଶି ଫସଲ ଅମଳ ପରୀକ୍ଷାରେ ହେରଫେର୍ କରିଥିବା କାରଣରୁ ଅପେକ୍ଷାକୃତ କମ୍ ବୀମାରାଶି ପୈଠ କରାଯାଇଛି । ଏହାକୁ ଗୁରୁତ୍ୱର ସହ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ବ୍ୟକ୍ତିଗତ ସ୍ତରରେ ଏହାକୁ ତଦନ୍ତ କରିବା, ପିଏମ ଫସଲ ବୀମା ଯୋଜନାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା, ଫସଲ ଅମଳ ପରୀକ୍ଷାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଚଞ୍ଚକତା ଓ ରାଜ୍ୟରେ ପିଏମ ଫସଲ ବୀମା ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଥିବା ବେସରକାରୀ ବୀମା କମ୍ପାନୀର ପରିଚାଳନା ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।
କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସୁରକ୍ଷା କବଚ । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ଫସଲ ପାଇଁ ଚାଷୀଙ୍କୁ ୧ ଲକ୍ଷ ୨୪ ହଜାର କୋଟିରୁ ଅଧିକ ଟଙ୍କା ବୀମାରାଶି ବ୍ୟାଙ୍କ୍ ଖାତାରେ ଜମା କରାଯାଇସରିଛି । ଏହି ଯୋଜନାରେ ବୀମା କମ୍ପାନୀର ଚୟନ ରାଜ୍ୟ ସରକାରମାନେ କରନ୍ତି । ଓଡ଼ିଶାରେ ମଧ୍ୟ ବୀମା କମ୍ପାନୀର ଚୟନ ଓଡ଼ିଶା ସରକାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଲେ ରାଜ୍ୟ ସରକାର ସର୍ବେକ୍ଷଣ କରି ଏହାକୁ ବୀମା କମ୍ପାନୀ ସହ ତଥ୍ୟ ପ୍ରଦାନ କରିବେ । ବରଗଡ଼ ଜିଲ୍ଲାର ଚାଷୀ ସମସ୍ୟା ଭାରତ ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏହାର ସମାଧାନ କରାଯାଇଛି । ରାଜ୍ୟ ସରକାର ବୀମା କମ୍ପାନୀ ଠାରୁ ହିତାଧିକାରୀଙ୍କ ପଇସା ପ୍ରଦାନ କରନ୍ତୁ । ଚାଷୀଙ୍କ ବିଷୟ ତଥା ପିଏମ ଫସଲ ବୀମା ଯୋଜନାର ରାଜନୀତିକରଣ କରିବା ଉଚିତ୍ ନୁହେଁ । ଆମ ପ୍ରାଥମିକତା ଚାଷୀଙ୍କ ହିତ ଦୃଷ୍ଟିରେ ରହିବା ଉଚିତ୍ ଏବଂ ଭାରତ ସରକାର ସବୁବେଳେ ଚାଷୀଙ୍କ ହିତରେ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ସ୍ତରରେ ଫସଲ କ୍ଷୟକ୍ଷତି ନେଇ ପରୀକ୍ଷା କରିବା ସହ କେନ୍ଦ୍ରକୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
