କେନ୍ଦ୍ର କ୍ୟାବିନେଟ ବୈଠକ : ୧.୩୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ମଞ୍ଜୁର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ପୀୟୁଷ ଗୋୟଲ ଆଜି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ କ୍ୟାବିନେଟ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ ସବୁଜ ସଙ୍କେତ ଦେଇଛି, ଯାହା ଅଧୀନରେ ସାରା ଦେଶରେ ୧୧.୨ଲକ୍ଷ ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏହି ଯୋଜନା ପାଞ୍ଚ ବର୍ଷ ଚାଲିବ ଏବଂ ଏଥିପାଇଁ ୧.୩୧ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ସେ କହିଛନ୍ତି ଯେ ପିଏମ ପୋଷଣ ଯୋଜନାରେ ବାକି ମଧ୍ୟାହ୍ନ ଭୋଜନ ଯୋଜନାର ସମିଶ୍ରଣ ଘଟିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ସହଯୋଗରେ ଚାଲିବ, କିନ୍ତୁ କେନ୍ଦ୍ର ସରକାର ଅଧିକ ଅନୁଦାନ ଦେବେ।
ଅନୁରାଗ ଠାକୁର କହିଛନ୍ତି ଯେ ମଧ୍ୟପ୍ରଦେଶରେ ନେମୁଚ-ରତ୍ଲାମ ଲାଇନକୁ ଡବଲ୍ ଲାଇନ୍ କରିବାକୁ ଅନୁମୋଦନ ଦିଆଯାଇଛି। ଏହି ୧୩୩ କିଲୋମିଟର ଲାଇନରେ ପ୍ରାୟ୧୯୬କୋଟି ଟଙ୍କା ଖର୍ଚ୍ଚ ହେବ। ଗୁଜୁରାଟରେ ରାଜକୋଟ-କାନାଲସ୍ ଲାଇନକୁ ମଧ୍ୟ ଏକ ଡବଲ ଲାଇନରେ ପରିଣତ କରିବାକୁ ଅନୁମୋଦନ କରାଯାଇଛି । ଏହି ୧୧୧ କିଲୋମିଟର ଲାଇନରେ ୧୦୮୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଦୁଇଟି ଲାଇନର ନିର୍ମାଣ ସହିତ ଶିଳ୍ପ ସଂସ୍ଥା ବୃଦ୍ଧି ପାଇବ। ଏହା ନିଶ୍ଚିତ ହୋଇଛି ଯେ ଏହି ଉଭୟ ରେଳ ଲାଇନ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହା ସହିତ କ୍ୟାବିନେଟ୍ ଇସିଜିସି ଲିମିଟେଡକୁ ମଧ୍ୟ ଅନୁମୋଦନ କରିଛି । ଏହା ମଧ୍ୟ ୪,୪୦୦ କୋଟି ଟଙ୍କା ବିନିଯୋଗକୁ ଅନୁମୋଦନ କରିଛି, ଯାହା ଅଧୀନରେ କେବଳ ରପ୍ତାନିକାରୀ ନୁହଁନ୍ତି ବ୍ୟାଙ୍କଗୁଡିକ ମଧ୍ୟ ସାହାଯ୍ୟ କରିବେ । ଏହା ୫୯ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବ। ପୀୟୁଷ ଗୋୟଲ କହିଛନ୍ତି ଯେ କ୍ୟାବିନେଟ୍ ରପ୍ତାନି କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ ଲିମିଟେଡ୍ କୁ ଅନୁମୋଦନ କରିଛି । ସେ କହିଛନ୍ତି ଯେ ଇସିଜିସି ଆସନ୍ତା ବର୍ଷ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ହୋଇପାରେ। ଚାଇନାରୁ ଆପଲ ଆମଦାନୀ ଉପରୁ ଆମଦାନୀ ଶୁଳ୍କ ହଟାଇବା ଖବର ଉପରେ ଗୋୟଲ କହିଛନ୍ତି ଯେ ଏଭଳି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ସଂପୂର୍ଣ୍ଣ ଭିତ୍ତିହୀନ। ଏଥିରୁ ଜଣାପଡୁଛି ଯେ କିଛି ଲୋକଙ୍କ କାମ କେବଳ ଗୁଜବ ପ୍ରଚାର କରିବା।
