ଅଭାବନୀୟ ଘଟଣା : କାର୍ଟୁନ ଦେଖୁଦେଖୁ ୪ମହଲାରୁ ଖସି ପଡ଼ିଲା ୨ବର୍ଷର ଶିଶୁ
ଅହମଦାବାଦ : ଆଜିକାଲି ଦୁନିଆରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ଆବାଳବୃଦ୍ଧବନିତା ସମସ୍ତେ ମୋବାଇଲ ପଛରେ ପାଗଳ । ମୋବାଇଲ ବିନା କିଛି ସମୟ ଚାଲିବା ସମସ୍ତଙ୍କ ପାଇଁ ଅସମ୍ଭବ । ଏହି ପରିପ୍ରେକ୍ଷୀରେ ଗୁଜୁରାଟର ସୁରଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨ବର୍ଷର ଜଣେ ଶିଶୁ ମୋବାଇଲରେ କାର୍ଟୁନ ଦେଖୁଦେଖୁ ଅସାବଧାନତାବଶତଃ ୪ମହଲାରୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହି ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଛି।
ସୂଚନା ଯେ, ଘଟଣା ଘଟିଥିବା ଆପାର୍ଟମେଣ୍ଟରେ ୱାଶିମ ଅନସାରି ତାଙ୍କ ପତ୍ନୀ ଓ ଦୁଇବର୍ଷର ପୁଅ ୱାରିସ ବସବାସ କରନ୍ତି। ତେବେ ଅନସାରି କୌଣସି କାମରେ ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ପୁଅ ୱାରିସକୁ ଫୋନ ଧରାଇ ଦେଇ ଗାଧେଇବା ପାଇଁ ଚାଲି ଯାଇଥିଲେ। ଏହି ସମୟରେ ପୁଅ ଫୋନରେ କାର୍ଟୁନ ଦେଖୁଦେଖୁ ଜାଣି ନପାରି ୪ମହାଲର ବାଲକୋନିରୁ ତଳକୁ ପଡ଼ି ଯାଇଥିଲା। ଠିକ ଏହି ସମୟରେ ଶିଶୁଟିର ଶବ୍ଦ ଶୁଣି ସେହି ରାସ୍ତା ଦେଇଯାଉଥିବା ଜଣେ ବ୍ୟକ୍ତି ଉପରକୁ ଚାହିଁ ଦେଇଥିଲେ। ସେ କ’ଣ ଉପରୁ ଖସୁଛି ତାହା ଚିନ୍ତା କରିବା ପୂର୍ବରୁ ହାତ ବଢ଼ାଇ ଦେଇଥିଲେ। ଆଉ ଶିଶୁଟି ତାଙ୍କ ହାତ ଉପରେ ଆସି ଖସି ପଡ଼ି ଯାଇଥିଲ। ସୌଭାଗ୍ୟବଶତଃ ଶିଶୁର ଜୀବନ ବଞ୍ଚି ଯାଇଥିଲେ ହେଁ କିଛି ସ୍ଥାନରେ ଆଘାତ ଲାଗିଥିବା କୁହାଯାଉଛି। ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ୱାରିସଙ୍କ ମା’ଙ୍କ ଏଭଳି କାମ ପାଇଁ ତୀବ୍ର ନିନ୍ଦା କରାଯାଉଛି। ପିଲାମାନଙ୍କ ପ୍ରତି ମା’ ଓ ବାପା ଆଦୌ ଅବହେଳା କରିବା ଉଚିତ ନୁହେଁ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।
