ୟୁଏନଡିପିର ରିପୋର୍ଟ ! ରୁଷ-ୟୁକ୍ରେନ ଯୁଦ୍ଧର ଭୟଙ୍କର ପ୍ରଭାବ ବୃଦ୍ଧି ପାଇଛି ଗରିବଙ୍କ ସଂଖ୍ୟା
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧର ଭୟଙ୍କର ପ୍ରଭାବ । ସାଧାରଣ ଲୋକଙ୍କ ରୋଜଗାର ଉପରେ ପଡିଛି ପ୍ରଭାବ । ଫଳରେ ସାରା ବିଶ୍ୱରେ ୭.୧ କୋଟିରୁ ଅଧିକ ଲୋକେ ଗରିବ ହୋଇଛନ୍ତି । ଏହି ଖୁଲାସା କରିଛି ୟୁଏନଡିପି ରିପୋର୍ଟ।
ୟୁଏନଡିପି ଅନୁସାରେ ଯୁଦ୍ଧର ତିନି ମାସରେ ୫.୧୬ କୋଟରୁ ଅଧିକ ଲୋକେ ଗରିବ ସୀମା ରେଖା ତଳକୁ ଖସିଛନ୍ତି । ଏମାନେ କବେଳ ୧.୯୦ ଡଲାର (୯୪.୮୨ ଟଙ୍କା)ରେ ଚଳିଥାନ୍ତି । ଅନ୍ୟପଟେ ୨ କୋଟି ଅତିରିକ୍ତ ଲୋକେ ଗରିବ ହୋଇଛନ୍ତି, ଯେଉଁମାନେ ୩.୨୦ ଡଲାର (୨୫୨.୮୬ ଟଙ୍କା)ରେ ଗୁଜୁରାଣ ମେଣ୍ଟାଇଥାନ୍ତି । କମ ଆୟ ଥିବା ଦେଶରେ ଗୋଟିଏ ପରିବାର ନିଜ ରୋଜଗାରର ୪୨ ପ୍ରତିଶତ ଅଂଶ ଖାଇବାରେ ଖର୍ଚ୍ଚ କରିଥାଏ । ତେବେ ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ପରେ ତେଲ, ଗହମ, ଖାଇବା ତେଲ ପରି ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଥିଲା. ୟୁକ୍ରେନର ପୋର୍ଟ ବନ୍ଦ ହେବା ପରେ କମ ଆୟ ଥିବା ଦେଶ ଗୁଡିକୁ ଖାଦ୍ୟାନ୍ନ ରପ୍ତାନୀ ହୋଇପାରୁ ନାହିଁ । ରିପୋର୍ଟ ଅନୁସାରେ, ଏଥିରେ ଅଧିକ ପ୍ରଭାବିତ ହୋଇଥିବା ଦେଶ ଗୁଡିକ ମଧ୍ୟରେ, ଅର୍ଜେଣ୍ଟିନା, ଇଜିପ୍ଟ, ଇରାକ, ତର୍କୀ, ଫିଲିପିନ୍ସ, ରୱାଣ୍ଡା, ସୁଦାନ, କେନିଆ, ଶ୍ରୀଲଙ୍କା ଏବଂ ଉଜବେକିସ୍ତାନ ସାମିଲ ଅଛନ୍ତି । ଏହାଛଡା ଆଫଗାନିସ୍ତାନ, ଇଥୋଓପିୟୋ, ମାଲି, ନାଇଜେରିଆ ଏବଂ ୟମନରେ ପୂର୍ବରୁ ହିଁ ଗରିବ ସୀମା ରେଖା ତଳେ ରହି ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ।
ୟୁଏନଡିପିର ରିପୋର୍ଟ ଅନୁସାରେ କରୋନା କାଳରେ ଲୋକଙ୍କ ରୋଜଗାର ଯେତିକି ପ୍ରଭାବିତ ହୋଇ ନଥିଲା, ତାହାଠୁ ଅଧିକ ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପ୍ରଭାବ ପକାଇଛି । ରିପୋର୍ଟ ଅନୁସାରେ ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ଏବଂ ସଟଡାଉନ ଯୋଗୁଁ ୧୮ ମାସରେ ୧୨.୫ କୋଟି ଲୋକେ ଗରିବୀ ସୀମାରେଖା ତଳକୁ ଖସିଥିଲେ, ଅନ୍ୟପଟେ ରୁଷ-ୟୁକ୍ରେନ ମଧ୍ୟ ଯୋଗୁଁ ମାତ୍ର ତିନି ମାସରେ ୭.୧ କୋଟିରୁ ଅଧିକ ଲୋକେ ଗରିବୀ ସୀମାରେଖା ତଳକୁ ଆସିଛନ୍ତି।
