ସମ୍ପତି ଭାଗ ବଣ୍ଟାକୁ ନେଇ ପୁତୁରାମାଡ଼ରେ କକା ଗୁରୁତର, ୨ ଗିରଫ
ନୀଳଗିରି : ସମ୍ପତ୍ତି ପାଇଁ ସମ୍ପର୍କ ତୁଚ୍ଛ । ଜମି ବାଡ଼ି ଭାଗ ବଣ୍ଟାକୁ ନେଇ କକା-ପୁତୁରା ମଧ୍ୟରେ ଖଣ୍ଡ ପ୍ରଳୟ । ପୁତୁରା ମାଡ଼ରେ ରକ୍ତ ସମ୍ପର୍କର କକା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି । ଏହି ଘଟଣାରେ ଦୁଇ ଗିରଫ ।
ସୂଚନା ଯେ, ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ଗ୍ରାମର ବେଣୁଧର ବେହେରା ଓ ତାଙ୍କ ସାନଭାଇ ଗଦାଧର ବେହେରା ଉଭୟ ମିଶି ନୀଳଗିରି ବସ୍ଷ୍ଟାଣ୍ଡ ବାଇପାସ୍ ନିକଟରେ ଏକ ଜାଗା କିଣିଥିଲେ । ସାନଭାଇ ଗଦାଧର ନିଜ ଅଂଶରେ ଏକ ପକ୍କାଘର ନିର୍ମାଣ କରି ରହିଆସୁଥିଲେ । ଉକ୍ତ ସ୍ଥାନରେ ବଡ଼ଭାଇ ବେଣୁଧର ଅନ୍ୟ ଏକ ଘର କରିଥିବା ବେଳେ ୨ଭାଇଙ୍କ ମଧ୍ୟରେ ଜାଗା କମ୍ବେଶୀକୁ ନେଇ କିଛିଦିନ ହେବ ପାଟିତୁଣ୍ଡ ଲାଗି ରହିଥିଲା । ମଙ୍ଗଳବାର ପୂର୍ବାହ୍ନରେ ।ପ ବେଣୁଧର ଓ ପୁଅ ରାଜେଶ ଉଭୟ ମିଶି ବାଡ଼ ଘେରୁଥିବା ବେଳେ ସାନଭାଇ ଗଦାଧର ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଦେଖାଦେଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବେଣୁଧର ଓ ରାଜେଶ ମିଶି ଗଦାଧାରକୁ ଆକ୍ରମଣ କରିବା ଫଳରେ ଗଦାଧର ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ସଜ୍ଞାହୀନ ହୋଇ ପଡ଼ିଯାଇଥିଲେ । ଏଥିରେ ପୁତୁରା ରାଜେଶ ମଧ୍ୟ ସାମାନ୍ୟ ଆହତ ହୋଇଥିଲା । ଏନେଇ ନୀଳଗିରି ଥାନାରେ ଉଭୟଙ୍କ ପକ୍ଷରୁ ଦୁଇଟି ମାମଲା (ନଂ. ୧୫୫ ।୨୨ ଓ ୧୫୬ ।୨୨) ରୁଜୁ କରି ତଦନ୍ତ ଜାରି ରଖିଛି । ସେହିପରି ଏହି ଘଟଣାରେ ପୋଲିସ ବଡ଼ଭାଇ ବେଣୁଧର ଓ ପୁତୁରା ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଗଦାଧରଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ପୋଲିସ ଜଗି ରହିଛି ।
