ରୁଷର ୫ ଯୁଦ୍ଧ ବିମାନ ସହ ଗୋଟେ ହେଲିକପ୍ଟରକୁ ଗୁଳି କରି ଖସାଇଲା ୟୁକ୍ରେନ ସେନା
ନୂଆଦିଲ୍ଳୀ: ଋଷ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଉଛି । ଋଷ ଆକ୍ରମଣର ପାଲଟା ଜବାବ ଦେଇଛି ୟୁକ୍ରେନ । ୟୁକ୍ରେନ ପୂର୍ବାଞ୍ଚଳ ସାମରିକ ଘାଟିରୁ ଋଷ ଉପରେ ଜୋରଦାର ପ୍ରତି ଆକ୍ରମଣ । ଲୁହାନସ୍କ ଅଞ୍ଚଳରେ ଋଷର ୫ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଛି ୟୁକ୍ରେନ । ଏହାସହ ଗୋଟିଏ ହେଲିକପ୍ଟରକୁ ବି ଧ୍ୱସ୍ତ ବିଧ୍ୱସ୍ତ କରିଦିଆଯାଇଛି । ସେପଟେ ଜଳ-ସ୍ଥଳ-ଆକାଶରୁ ଏକକାଳୀନ ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷ ସେନା । ବୋରିସପିଲ, ଓଡୋରନୋମ, କୁଲାବାକିନୋମୁ, ଚୁଗ୍ୟୁଏଭ, କ୍ରାମାଟୋରସ୍କ, କ୍ରୋନୋ ବାଇଭିଟସ, ଏବଂ ଓଡର ବିମାନ ବନ୍ଦର ଏବଂ ଘାଟିରୁ ବାଲିଷ୍ଟିକ ଆକ୍ରମଣ କରିଛି ୟୁକ୍ରେନା ସେନା । ୟୁକ୍ରେନ ସେନା ମୁଖ୍ୟ ନିଜେ ଯୁଦ୍ଧ ପରିଚାଳନା କରୁଛନ୍ତି ।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ୍ରେ ସ୍ଥିତି ଗମ୍ଭୀର ହୋଇ ପଡ଼ିଛି । ପୁଟିନ ୟୁକ୍ରେନ୍ ସୈନ୍ୟଙ୍କୁ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେବା ପରେ ୟୁକ୍ରେନ୍ ପକ୍ଷରୁ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ ସେନା ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଉପରେ ହମଲା କରୁଛନ୍ତି। ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍ କରିବାର କ୍ଷମତା ରଖିଥିବା ଅସ୍ତ୍ରଶସ୍ତ୍ର ଦ୍ୱାରା ରୁଷ ପଡ଼ୋଶୀ ୟୁକ୍ରେନ ସୈନ୍ୟଙ୍କ ଏୟାରବେସ ଓ ପ୍ରତିଷ୍ଠାନ ଉଡ଼ାଇ ଦେଇଥିବା ଖବର ମିଳିଛି। ସେହିପରି ପାଲଟା ଜବାବରେ ୟୁକ୍ରେନ ମଧ୍ୟ ବଡ଼ ପଦକ୍ଷେପ ଗ୍ରହଣ କରିଛି। ବିବାଦୀୟ ଲୁହାନିସ୍କରେ ପଇଁତରା ମାରୁଥିବା ରୁଷର ୫ଟି ଯୁଦ୍ଧ ବିମାନକୁ ଗୁଳି କରି ୟୁକ୍ରେନ ସେନା ଖସାଇ ଦେଇଥିବା ରୟଟର୍ସରେ ଖବର ପ୍ରକାଶ ପାଇଛି। ଏହି ଘଟଣା ପରେ ସ୍ଥିତି ଆହୁରି ଉଗ୍ର ରୂପ ଧାରଣ କରିଛି।
