ୟୁକ୍ରେନର ଖେରସାନ ସହରକୁ କବଜା କଲା ରୁଷିଆ
ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜିକୁ ଅଷ୍ଟମ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ବହୁତ ସୈନିକ ନିହିତ ମଧ୍ୟ ହୋଇଛନ୍ତି । ରୁଷିଆ ୟୁକ୍ରେନର ବଡ ବଡ ସହରକୁ ଟାର୍ଗେଟ କରୁଥିବା ବେଳେ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳୁ ରୁଷିଆ ୟୁକ୍ରେନର ଖେରସାନ ସହର କବଜା କରିଥିବା ଜଣାପଡିଛି । ଲଗାତର ବିମାନ ଆକ୍ରମଣ, ମିଶାଇଲ ଆକ୍ରମଣ ପରେ ଥରି ଉଠିଥିବା ଖେରସାନ ସହର ଏବେ ରୁଷିଆ କବଜାରେ । ହେଲେ ୟୁକ୍ରେନ ଏହାକୁ ପ୍ରଥମେ ଖଣ୍ଡନ କରୁଥିବା ବେଳେ ଏବେ ୟୁକ୍ରେନ୍ ସ୍ୱୀକାର କରିଛି କି ଖେରସାନ ସହର ଏବେ ରୁଷିଆ ବଜାରେ ।
ଅନ୍ୟପକ୍ଷରେ ଆଜି ୟୁକ୍ରେନ୍ର ଉପରୋକ୍ତ ତୃତୀୟ ବୃହତ୍ ନଗରୀ ଉପରେ ଜଳ ଓ ସ୍ଥଳରୁ ଆକ୍ରମଣ କରାଯାଇ ପାରେ। ରୁଷ୍ ସେନା ବନ୍ଦର ନଗରୀ ଖେର୍ସନ୍ ଅଧିକାର କରି ନେଇଥିବା କଥା ଆଜି ପ୍ରତ୍ୟୁଷରେ ୟୁକ୍ରେନ୍ ସରକାରୀ ଅଧିକାରୀମାନେ ସୁନିଶ୍ଚିତ କରି କହିବାର କିଛି ସମୟ ପରେ ଆମେରିକୀୟ ସେନା ଅଧିକାରୀ ଉପରୋକ୍ତ ସତର୍କ ସୂଚନା ଦେଇଛନ୍ତି। ତାଙ୍କ ବକ୍ତବ୍ୟରୁ ଉଦ୍ଧାର କରି ଆନ୍ତର୍ଜାତିକ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି, ରୁଷ୍ ୟୁକ୍ରେନ୍ ଆକ୍ରମଣର ୮ମ ଦିନରେ ରୁଷୀୟ ଯୁଦ୍ଧପୋତ ସବୁ କ୍ରାଇମିଆରୁ ଏବେ ୟୁକ୍ରେନୀୟ ନଗରୀ ଓଡେଶା ଅଭିମୁଖେ ଯାତ୍ରା କରୁଛନ୍ତି। ଖେର୍ସନ୍ ପରେ କୃଷ୍ଣ ସାଗର ନିକଟରେ ଅବସ୍ଥିତ ବନ୍ଦର ନଗରୀ ଓଡେଶାକୁ ଦଖଲ କରିବା ଲାଗି ରୁଷ୍ ସେନା ଯୋଜନା କରୁଥିବା ପରି ମନେହେଉଛି। ସଂଗୃହୀତ ସୂଚନା ଅନୁସାରେ, କିବ୍ ଏବଂ କିବ୍ ଓବ୍ଲାସ୍ତ, ମିକୋଲାଇଭ୍, ଲିବ୍, ଝିତୋମିର୍, ଇଭାନୋ-ଫ୍ରାଙ୍କିଭ୍ସ୍କ, ଚେର୍ଣ୍ଣିହିଭ୍ ଓ ଚେର୍ଣ୍ଣିହିଭ୍ ଓବ୍ଲାସ୍ତ୍, ଜାପୋରିଝ୍ଝିଆ ଏବଂ ଓଡେଶା ଭଳି ପ୍ରମୁଖ ୟୁକ୍ରେନୀୟ ନଗରୀମାନଙ୍କରେ ବିମାନ ଆକ୍ରମଣ ସାଇରନ୍ ବାଜୁଛି। ନିକଟବର୍ତ୍ତୀ ଆଶ୍ରୟସ୍ଥଳମାନଙ୍କୁ ଚାଲିଯିବାକୁ ଜନସାଧାରଣଙ୍କୁ କୁହାଯାଇଛି। ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ରୁଷୀୟ ସେନାର ବିପୁଳ କ୍ଷତି ହୋଇଛି। ସେମାନଙ୍କର ୨ଟି ହେଲିକପ୍ଟର୍ ସମେତ ୩ଟି ଲଢୁଆ ବିମାନକୁ ୟୁକ୍ରେନ୍ର ଆଣ୍ଟି-ଏୟାର୍କ୍ରାଫ୍ଟ୍ କ୍ଷେପଣାସ୍ତ୍ର ୟୁନିଟ୍ ନଷ୍ଟ କରିଦେଇଛି। ସେପଟେ, ରୁଷୀୟ ବୋମା ମାଡ଼ରେ ଓଖ୍ର୍ତିକା ଏବଂ ଖାର୍କିଭ୍ ସମେତ ବହୁ ୟୁକ୍ରେନୀୟ ସହର ଓ ନଗରୀ ଛାରଖାର ହୋଇଯାଇଛି। ଖାର୍କିଭ୍ରେ ରୁଷୀୟ ଆକ୍ରମଣରେ ଅନ୍ୟୂନ ୩ଟି ସ୍କୁଲ୍ ଏବଂ ଖାର୍କିଭ୍ର ଆସମ୍ପସନ୍ କ୍ୟାଥେଡ୍ରଲ୍ କ୍ଷତିଗ୍ରସ୍ତ ହୋଇଛି। ଓଖ୍ର୍ତିକାରେ ବହୁ ଆବାସିକ ଅଟ୍ଟାଳିକା ଧ୍ବଂସ ହୋଇଯାଇଛି। ଗତରାତିରେ ୟୁକ୍ରେନ୍ର ଦ୍ବିତୀୟ ବୃହତ୍ ନଗରୀ ଖାର୍କିଭ୍ର ଆଇଜିୟମ୍ ଅଞ୍ଚଳରେ ରୁଷୀୟ ବୋମା ମାଡ଼ ଯୋଗୁଁ ପିଲାଙ୍କ ସମତେ ୮ଜଣଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ଖାର୍କିଭ୍ରେ ତୁମୁଳ ଲଢ଼େଇ ଚାଲିଛି। ରୁଷୀୟ ସେନାଙ୍କ ନିରବଚ୍ଛିନ୍ନ ବୋମା ବର୍ଷଣରେ ଖାର୍କିଭ୍ର ବ୍ୟାପକ ଅଞ୍ଚଳ ଧ୍ବଂସ୍ତବିଧ୍ବସ୍ତ ହୋଇ ଯାଇଛି।
