ଉଡ୍ର ଚେରିଟେବୁଲ ଟ୍ରଷ୍ଟର ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଷ୍ଟେସନ ଛକରେ ଥିବା ପ୍ୟାରିସ ବେକେରୀ ଆଉଟ ଲେଟରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଡ୍ର ଚେରିଟେବୁଲ ଟ୍ରଷ୍ଟର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଥିଲେ ଦିଅ ନଥିଲେ ନିଅ’ କାର୍ଯ୍ୟକ୍ରମ ମଙ୍ଗଳବାର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ତଥା ଓଡ଼ିଶାର ସୁନାମ ଧନ୍ୟ ସିନେ ତାରକା ଆକାଶ ଦାସନାୟକ, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଏବଂ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
‘ଥିଲେ ଦିଅ, ନଥିଲେ ନିଅ’ ଆନ୍ଦୋଳନର ପ୍ରବର୍ତ୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । କିଛି ବର୍ଷ ହେବ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୁଣା ଓ ନୂତନ ବସ୍ତ୍ର ସଂଗ୍ରହ କରାଯାଇ ଗରିବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି । ଏହି କାର୍ଯ୍ୟକ୍ରମ କେବଳ ବାଲେଶ୍ୱର ନୁହଁ, ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦ୍ୱୀପ, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକତା, ପୁନେ, ହାଇଦ୍ରାବାଦ ଠାରେ ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇସାରିଛି । ଯେଉଁମାନଙ୍କର ପିନ୍ଧିବାକୁ ବସ୍ତ୍ର ଖଣ୍ଡେ ନାହିଁ ସେମାନଙ୍କ ପାଖରେ ଖଣ୍ଡେ ବସ୍ତ୍ର ପହଞ୍ଚାଇ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଟ୍ରଷ୍ଟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଓ ପୁରୁଣା ବସ୍ତ୍ର ସଂଗ୍ରହ କରି ବିଭିନ୍ନ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ପହଞ୍ଚାଉଛି । ଯେଉଁମାନଙ୍କ ପାଖରେ ବଳକା ବସ୍ତ୍ର ଅଛି ସେମାନେ ଟ୍ରଷ୍ଟର ଏହି ଅଭିଯାନରେ ଦେଇପାରିବେ । ଏହା ମାଧ୍ୟମରେ ଆପଣ ଆପଣଙ୍କ ପୁରୁଣା ବସ୍ତ୍ରକୁ ଦିଅନ୍ତୁ ଏକ ନୂତନ ଜୀବନ । ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି । ଟ୍ରଷ୍ଟର ସଦସ୍ୟ ଭବାନୀଶଙ୍କର ଜେନା, ଜୟନ୍ତ ଦାସ, ପ୍ରଳୟଙ୍କରୀ ଜେନା, ବିକ୍ରମ ସିଂହ, ଅର୍ଦ୍ଧେନ୍ଧୁ ଶେଖର ଜେନା, ଚିରଞ୍ଜୀବି ଦାସ, ସୌମିକ ଦେ, ଦେବଦତ୍ତ ନାୟକ, ଶତଦଳ ଗିରି, ଆଶିଷ କୁମାର ପ୍ରଧାନ, ଶୁଭେନ୍ଦୁ ମଙ୍ଗରାଜ, ଅଶାନ୍ତ ରଞ୍ଜନ ରାଉତରାୟ, ନିହାର ରଞ୍ଜନ ରାଉତ, ସନ୍ତୋଷ କୁମାର ଅଗ୍ରୱାଲ, ଦେବଦତ୍ତ ଦାସ, ଆର୍ତ୍ତ ବନ୍ଧୁ ଜେନା ଓ ସତ୍ୟକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।
