ଦେଶରେ କରୋନାକୁ ଦୁଇବର୍ଷ ପୂର୍ତି : ୩ୟ ଲହର ବିରୋଧରେ ସଂଗ୍ରାମ ଜାରି
ନୂଆଦିଲ୍ଲୀ : ଭାରତରେ କୋଭିଡ୍-୧୯ର ପ୍ରଥମ ସଂକ୍ରମଣ ହେବା ଦିନଠାରୁ ଆଜିକୁ ଦୁଇବର୍ଷ ପୂରିଯାଇଛି । ମହାମାରୀର ତୃତୀୟ ଲହର ବିରୋଧରେ ସଂଗ୍ରାମ ଜାରି ରହିଛି । ଭୂତାଣୁର ବିଭିନ୍ନ ପ୍ରଜାତି ସହ ଆମକୁ ଯୁଝିବାକୁ ପଡ଼ୁଛି । ଜାନୁଆରି ୩୦, ୨୦୨୦ରେ ଉହାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଭାରତର ଜଣେ ତୃତୀୟ ବାର୍ଷିକ ମେଡିକାଲ ଛାତ୍ରୀ ଛୁଟିରେ ଘରକୁ ଆସିବା ପରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ହେଉଛନ୍ତି ଭାରତର ପ୍ରଥମ କରୋନା ରୋଗୀ । ସେବେଠାରୁ ଭାରତ କୋଭିଡ୍-୧୯ର ତିନିଟା ଲହର ଓ ସାତଟା ମ୍ୟୁଟେଡ୍ ଭାରିଆଂଟ ଦେଖିସାରିଲାଣି । ଅନେକ ଭାରିଆଂଟ ମାରାତ୍ମକ ସାବ୍ୟସ୍ତ ହୋଇଛି । ବର୍ତମାନ ସୁଦ୍ଧା ଭାରତରେ ମୋଟ ୪,୧୦,୯୨,୬୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪,୯୪,୦୯୧ ଜଣ ମୃତ୍ୟୁବରଣ କରିଛନ୍ତି ।
କୋଭିଡ୍-୧୯ର ସାତଟି ଭାରିଆଂଟ ମଧ୍ୟରୁ ଡେଲ୍ଟା ଓ ଓମିକ୍ରନ୍ ସବୁଠାରୁ ବେଶି ବିପଜ୍ଜନକ ସାବ୍ୟସ୍ତ ହୋଇଛନ୍ତି । ଡେଲ୍ଟା ଯୋଗୁ ଦ୍ୱିତୀୟ ଲହର ଆସିଥିବା ବେଳେ ଓମିକ୍ରନ୍ ଯୋଗୁ ତୃତୀୟ ଲହର ଆସିଛି । ବର୍ତମାନ ଅନେକ ସହରରେ ଡେଲ୍ଟାକୁ ହଟାଇ ତା’ର ସ୍ଥାନ ନେଇଛି ଓମିକ୍ରନ୍ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶନିବାର କହିଛନ୍ତି ଯେ, ଭାରିଆଂଟ ଯାହା ହେଉନା କାହିଁକି କୋଭିଡ୍ ପରିଚାଳନାରେ ‘ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଭାକ୍ସିନ’ ଏବଂ ‘କୋଭିଡ୍ ନିରାକରଣ ଲାଗି ସମୁଚିତ ବ୍ୟବହାର’ ଜାରି ରହିବ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ସମୁଚିତ ବ୍ୟବହାର ଏବଂ ଟିକାକରଣ ହେଉଛି ମହାମାରୀକୁ ମୁକାବିଲା କରିବାର ଶ୍ରେଷ୍ଠ ଉପାୟ । ଭାରତରେ ପାନଡେମିକ୍ (ମହାମାରୀ) କେବେ ଏନ୍ଡେମିକ୍ (ସାଧାରଣ ରୋଗ)ରେ ପରିଣତ ହେବ ତାହା ଏବେ ବି ଅସ୍ପଷ୍ଟ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଦକ୍ଷିଣ-ପୂର୍ବ ଏସିଆ ମୁଖ୍ୟ ଡ. ପୁନମ୍ କ୍ଷେତ୍ରପାଲ କହିଛନ୍ତି ।
