ଯୁଦ୍ଧ ଭିତରେ ପରସ୍ପରକୁ ଜୀବନସାଥି କଲେ ୟୁକ୍ରେନର ୨ ଯୋଦ୍ଧା
ନୂଆଦିଲ୍ଲୀ : ଯୁଦ୍ଧ ଭିତରେ ପରସ୍ପରକୁ ଜୀବନସାଥି କରିଛନ୍ତି ୟୁକ୍ରେନର ୨ ଯୋଦ୍ଧା । ୟୁକ୍ରେନ ସେନାର ପୁରୁଷ ସୈନିକ ଭାଲେରୀ ଓ ମହିଳା ସୈନିକ ଲେସ୍ୟା ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଚର୍ଚ୍ଚରେ ପୋପ୍ ଯେଉଁ ରୀତିରେ ବିବାହ କରାଇଥାନ୍ତି ସେସବୁ ରୀତିକୁ କରିଥିଲେ ଜଣେ ସାଥୀ ସୈନିକ । ଏହିଭଳି ଭୟଙ୍କର ସମୟରେ ସେନାର ଏହି ୨ ଅଧିକାରୀଙ୍କ ବିବାହକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଫଟୋ ଓ ଭିଡିଓ । ଆଞ୍ଚଳିକ ସୁରକ୍ଷାରେ ନିୟୋଜିତ ଲେସ୍ୟା ଓ ଭାଲେରୀଙ୍କୁ ବିଶେଷ ମୁହୂର୍ତ୍ତରେ ଦେଖିବାକୁ ମିଳିଛି । ଉଭୟେ ହାତରେ ଫୁଲତୋଡା କରି ଯାଉଥିବାର ଦେଖିବାକୁ ମିଳିଛି । ସେମାନଙ୍କୁ ଘେରି ରହିଛନ୍ତି ସେମାନଙ୍କ ସାଥୀ ସୈନିକ । ଏହା ସମସ୍ତେ ମିଶି ସେଠିକାର ସ୍ଥାନୀୟ ଗୀତ ଗାଇଥିଲେ । ଜଣେ ସୈନିକ ପାରମ୍ପରିକ ବାଦ୍ୟ ବଜାଉଥିଲେ । ଏହି ଭିଡିଓକୁ ଏଯାଏଁ ଲକ୍ଷାଧିକ ଲୋକେ ଲାଇକ୍ କରିସାରିଲେଣି ।
ସୂଚନା ଯେ, ଋଷ-ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ଋଷ ସେନାର ଆକ୍ରମଣରେ ୟୁକ୍ରେନର ଅଧାରୁ ଅଧିକ ଅଂଚଳ ମାଟିରେ ମିଶିଛି । ୟୁକ୍ରେନ ସେନାର କଡା ମୁକାବିଲା ସତ୍ତେ୍ୱ ଅନେକ ପ୍ରମୁଖ ସହରକୁ କବଜା କରିନେଇଛି ଋଷ । ବହୁ ଲୋକ ନିଜ ବାସଗୃହ ହରାଇଛନ୍ତି । ଲୋକଙ୍କୁ ଖାଇବା ପିଇବା ମିଳିବା ବି କଷ୍ଟ ହେଉଛି ।
