ବିଳମ୍ବିତ ରାତିରେ ଦୁଇଟି ଘରୁ ତାଲା ଭାଙ୍ଗି ଚୋରି
ସୋର : ସୋର ପୌରପାଳିକା ଅନ୍ତର୍ଗତ କମରପୁରସ୍ଥ ଅନ୍ନପୂର୍ଣ୍ଣା ମିଲ ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଘର ଗ୍ରିଲ ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରି ହୋଇଥିବା ଦେଖାଯାଇଛି । ଏହି ଗ୍ରାମର ଅନ୍ନପୂର୍ଣ୍ଣା କରଙ୍କ ପରିବାର ବାଲେଶ୍ୱର ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଘରେ କେହି ନ ଥିଲେ । ଏହି ସୁଯୋଗରେ ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଘର ଗ୍ରିଲ ଚାବି ଭାଙ୍ଗି ଘରେ ପଶି ଗଡ଼ରେଜ ଭାଙ୍ଗି ନଗଦ କୋଡ଼ିଏ ହଜାର ଟଙ୍କା ସହ ତିରିଶ ଗ୍ରାମରୁ ଉର୍ଦ୍ଧ୍ୱ ସୁନା ଗହଣା ଚୋରି କରିନେଇଛନ୍ତି । ସେହିପରି କୁଳେନ୍ଦ୍ର ସାହୁଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ବିଳମ୍ବିତ ରାତିରେ ଚାବି ଭାଙ୍ଗି ଘରୁ ସୁନାଗହଣା ସହ ନଗଦ ୮ ହଜାରରୁ ଉର୍ଦ୍ୱ ଟଙ୍କା ଚୋରି କରିନେଇଛନ୍ତି । ସକାଳେ ପଡ଼ୋଶୀମାନେ ଫୁଲ ତୋଳିବାକୁ ଆସିଥିବା ବେଳେ ଘରର ଗ୍ରିଲ ଚାବି ଭଂଗାଯିବା ସହିତ ଘର କବାଟ ଖୋଲାଥିବା ଦେଖି ଉଭୟ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଉଭୟ ପରିବାର ଲୋକେ ଘରେ ପହଞ୍ଚି ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୋର ଥାନା ଆଇଆଇସି ସୁଜାତା ଖମାରୀ ସାଇଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଏହି ମିଲ କ୍ୟାମ୍ପସରେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଚୋରମାନେ ଏଥିରେ ସଂପୃକ୍ତି ଥିବା ପୁଲିସ୍ ନିକଟରେ ଅଭିଯୋଗ କରାଯାଇଛି । ଏଥିସହିତ ଗ୍ରାମ କମିଟି ବୈଠକର ନିଷ୍ପତ୍ତି ଅନୁସାରେ ସିସିଟିଭ ଲଗାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପୁଣି ଏଭଳି ଚୋରି ଅଞ୍ଚଳବାସୀଙ୍କୁ ଭୟଗୀତ କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
