ଆଜି ଠାରୁ ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହେବ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ । ଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦଳ ନିଷ୍ପତ୍ତି ନେଇପାରେ।
ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ଆଉ ଥରେ ସଭାପତି ରଖିବା ନେଇ ଦଳ ନିଷ୍ପତ୍ତି ନେଇପାରେ । ନଡ୍ଡାଙ୍କ ତିନି ବର୍ଷୀୟ କାର୍ଯ୍ୟକାଳ ଏହି ମାସରେ ଶେଷ ହେଉଛି । ତେଣୁ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦଳ ତାଙ୍କୁ ପୁଣି ସଭାପତି ରଖିବା ନେଇ ନିଷ୍ପତ୍ତି ନେବ। ସେହିପରି ଆଗକୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ବାବଦରେ ମଧ୍ୟ ଦଳ ରଣନୀତି ସ୍ଥିର କରିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରୋଡ ସୋ କରିବେ। ପଟେଲ ଚୌକରୁ ଏନଡିଏମସି କନଭେନସନ ହଲ୍ ଯାଏଁ ପ୍ରଧାନମନ୍ତ୍ରୀ ରୋଡ ସୋ କରିବେ। ଯେଉଁଠାରେ ଜାତୀୟ କାର୍ଯ୍ୟକାରୀ ଅନୁଷ୍ଠିତ ହେବ। ବୈଠକରେ ରାଜନୈତିକ ଏବଂ ଅର୍ଥନୈତିକ ପ୍ରସ୍ତାବ ଗୃହୀତ ହେବ। ଜାତୀୟ କାର୍ଯ୍ୟକାରିଣୀ ପୂର୍ବରୁ ରାଜ୍ୟ ସଭାପତି ମାନଙ୍କର ଏବଂ ବିଭିନ୍ନ ପଦାଧିକାରୀମାନଙ୍କର ବୈଠକ ବସିବ। ସେହିପରି ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟରେ ବୈଠକରେ ସାମିଲ ହେବେ । ଏହି କାର୍ଯ୍ୟକାରିଣୀ ପରିପ୍ରେକ୍ଷୀରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ ଯେଉଁଥିରେ ଦଳର କର୍ମକର୍ତ୍ତା କରିଥିବା ସାମାଜିକ କାର୍ଯ୍ୟ ପ୍ରଦର୍ଶିତ ହେବ।
