ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ; ଡିଏସ୍ଡିଡି ଏଫ୍ସି ବାଲିଆପାଳ ଚମ୍ପିୟାନ
ନୀଳଗିରି : ନୀଳଗିରି ବ୍ଲକ ଅନ୍ତର୍ଗତ ଭଉଁରିଆବାଡ଼ ପଞ୍ଚାୟତରେ ଥିବା ତେରେଲଡିହି ପଡ଼ିଆରେ ଜୁମିଦ ଖେରୱାଲ ଆଥଲେଟିକ କ୍ଲବ (ଜେକେଏସି) ପକ୍ଷରୁ ଏହାର ପ୍ରତିଷ୍ଠାତା ୰କୈଳାଶ ଚନ୍ଦ୍ର ଏବଂ ୰ନିମାଇଁ ଚରଣ ମାଝିଙ୍କ ସ୍ମୃତିରେ ୨୮ତମ ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ପ୍ରଥମ ଦିନରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଉପସ୍ଥିତ ରହି ଖେଳକୁ ଉଦ୍ଘାଟନ କରି ଖେଳାଳୀମାନେ ଖେଳୁଆଡ଼ ମନୋଭାବ ରଖି ଖେଳ ଖେଳିଲେ ଭବିଷ୍ୟତରେ ଦିନେ ନା ଦିନେ ଜିଲା ଓ ରାଜ୍ୟ ବାହାରେ ଖେଳ ଖେଳି ନିଜ ନାମ ଅର୍ଜନ କରିପାରିବେ ବୋଲି ମତପ୍ରକାଶ କରିଥିଲେ ।
ଶେଷ ଦିନରେ ତଥା ଶନିବାର ଦିନ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଓ ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେଡିର ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ସାହାରପଡ଼ା ତହସିଲଦାର ବାବାଜୀ ସିଂ, କାନ୍ଦନ ମାଝି, ଫ୍ରାନସିସ୍ ବେକନ ସ, ରବି ନାୟକ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ନିଜ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ । ଫାଇନାଲରେ ଫୋର୍ସ ଫାଈଟର ବାଲେଶ୍ୱର ଓ ଡିଏସ୍ଡିଡି ଏଫ୍ସି ବାଲିଆପାଳ ମଧ୍ୟରେ ଖେଳ ହୋଇଥିଲା । ଡିଏସ୍ଡିଡି ଏଫ୍ସି ବାଲିଆପାଳ ଟିମ୍ ୬-୫ ପେନାଲ୍ଟି ଗୋଲରେ ଫୋର୍ସ ଫାଈଟର ବାଲେଶ୍ୱରକୁ ପରାସ୍ତ କରି ବିଜେତା ହୋଇଥିଲା । ଫାଇନାଲ ମ୍ୟାଚରେ ନୀଳଗିରି ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଖଟୁଆ ବିଜେତା ଦଳକୁ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୩ ଜଣ ଅବସରପ୍ରାପ୍ତ ସଦସ୍ୟ ଓ ଜଣେ ଛାତ୍ରୀଙ୍କୁ ତଥା (ଜେଲ ଡିଆଇଜି) ରଘୁନାଥ ମାଝି, ପୋଲିସ ଆଇଆଇସି ଲମ୍ବୋଧର ମାଝି ଏବଂ ଶିକ୍ଷକ ସୋମନାଥ ଟୁଡୁ ସହିତ ତେରେଲଡିହି ଗାଁର ଛାତ୍ରୀ ଜ୍ୟୋତିପ୍ରିୟା ମାଝୀଙ୍କୁ କ୍ଲବ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଖେଳକୁ ସହଯୋଗ କରିଥିବା ଜେକେଏସି କ୍ଲବର ସଭାପତି ମଦନ ମୋହନ ମାଝି, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମାଝି, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ମାଝି, ସଦସ୍ୟ ଫାତୁ ମାଝି, ଭରତ ଚନ୍ଦ୍ର ମାଝି, ସୁକୁଲ ମାଝି, ଚୋପେ ମାଝି, ଅଞ୍ଜନ ସୋରେନ, ବଇଦାର ମାଝି, ମନୁ ମାଝି, ବାପୁନୁ ମାଝି, ଚନ୍ଦନ ମାଝି, ପରମାନନ୍ଦ ମାଝି, ଗୋଦେଇ ମାଝି, କାହ୍ନୁ ଚରଣ ମାଝି , ଫକିର ମୋହନ ମାଝି, ଭୀମା ମାଝି, ଟିପୁ ମାଝି ସହଯୋଗ କରିଥିଲେ । ଟୁର୍ନାମେଣ୍ଟର ପ୍ରଥମ ପୁରସ୍କାର ବିଜେତା ଦଳ ପାଇଁ ୪୦ହଜାର ଟଙ୍କା, ଉପ-ବିଜେତା ୩୦ ହଜାର ଟଙ୍କା ଏବଂ ସେମି ଫାଇନାଲରେ ପ୍ରଥମ ଦିନ ଏବଂ ଦ୍ୱିତୀୟ ଦିନରେ ହାରିଥିବା ଦଳକୁ ୫ ହଜାର ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା ।
