ଧିମା ପଡ଼ିଲା ଟ୍ବିଟର, ୟୁଜରଙ୍କୁ କ୍ଷମା ମାଗିଲେ ଏଲନ୍ ମସ୍କ
ନୂଆଦିଲ୍ଲୀ : ଏଲନ୍ ମସ୍କ ଯେବେଠୁଁ ଟ୍ବିଟର କିଣିଛନ୍ତି ଏହି ମାଇକ୍ରୋବ୍ଲଗିଂ ସାଇଟରେ ଘଡ଼ିକେ ଘୋଡ଼ା ଛୁଟୁଛି । ରବିବାର କିଛି ଦେଶରେ ଟ୍ବିଟର ବହୁତ ଧିମା ବା ସ୍ଲୋ ପଡ଼ିଯାଇଥିବା ନେଇ ୟୁଜରମାନେ ଅଭିଯୋଗ କରିଥିଲେ । ଏହାପରେ ମାଲିକ ମସ୍କ ଟୁଇଟ୍ କରି କ୍ଷମା ମାଗିଥିଲେ ।
ଏକ ଟୁଇଟ୍ରେ ମସ୍କ କହିଛନ୍ତି ଯେ ଅନେକ ଦେଶରେ ଟ୍ୱିଟର ଅତ୍ୟନ୍ତ ମନ୍ଥର ହୋଇଯାଇଥିବାରୁ ମୁଁ କ୍ଷମା ମାଗୁଛି। ଏହା ପରେ ସେ ଏହାର ମନ୍ଥରତା ପାଇଁ ଟେକ୍ନିକାଲ କାରଣ ବିଷୟରେ ଉଲ୍ଲେଖ କରିଥିଲେ । ଏହାଛଡ଼ା ସେ ଟ୍ୱିଟରରେ ଅନେକ ନକଲି ପ୍ରୋଫାଇଲର ମୁକାବିଲା ପାଇଁ ଏକ ନୂଆ ଫିଚର୍ ଆଣିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ନିକଟରେ ଟ୍ୱିଟରକୁ ଏହାର ଦେୟଯୁକ୍ତ ବ୍ଲୁ ଟିକ୍ ଭେରିଫିକେସନ ବନ୍ଦ କରିବାକୁ ପଡ଼ିଥିଲା । କାରଣ ଅନେକ ପାରୋଡି ତଥା ନକଲି ଆକାଉଣ୍ଟଗୁଡିକ ମଧ୍ୟ ୮ ଡଲାର ଦେଇ ସେମାନଙ୍କ ଆକାଉଣ୍ଟ ପାଇଁ ବ୍ଲୁ ଟିକ୍ ପାଇଥିଲେ । ଟ୍ୱିଟରର ବ୍ଲୁ ଟିକ୍ ସବସ୍କ୍ରିପସନ୍ ଯୋଜନା ସମାଲୋଚିତ ହୋଇଥିଲା । ଏଥିପାଇଁ କମ୍ପାନୀ ଏହାକୁ ବନ୍ଦ କରିଥିଲା ।
