ଇଡକୋରେ ନିଯୁକ୍ତି ପାଇଲେ ୨୫ ଜଣ ଡେପୁଟି ମ୍ୟାନେଜର
ଭୁବନେଶ୍ୱର : ଇଡକୋରେ ୨୫ ଜଣଙ୍କୁ ଡେପୁଟି ମ୍ୟାନେଜର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ, ଗୃହ ରାଜ୍ୟମନ୍ତ୍ରୀ କ୍ୟାପ୍ ଟେନ୍ ଦିବ୍ୟଶଙ୍କର ମିଶ୍ର ଇଡ୍କୋ ସମ୍ମିଳନୀ କକ୍ଷଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ନୂତନ ଅଧିକାରୀମାନଙ୍କୁ ସମ୍ବୋଧନ କରି ଓଡ଼ିଶାର ଚିତ୍ର ବଦଳାଇବାରେ ଓଡ଼ିଶା ଉଦ୍ୟୋଗିକ ଭିତିଭୂମି ବିକାଶ ନିଗମ (ଇଡ୍କୋ) ପ୍ରମୁଖ ଭୂମିକା ନେଇଛି ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପ୍ରକାଶ କରିଥିଲେ ।
ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଲୋକଙ୍କ ସହ କାମ କରିବା ବେଳେ ସର୍ବଦା ନମ୍ରତା ଓ ସମ୍ମାନ ପ୍ରଦର୍ଶନ ଉପରେ ଧ୍ୟାନ ଦେବା ସହ ନିଜକୁ ଅନ୍ୟଠାରୁ ଶିଖିବାରେ ପ୍ରସ୍ତୁତ ରଖିବାକୁ ହେବ । ନିଜର ମଧୁର ବ୍ୟବହାର ସରକାରଙ୍କ ଉତମ ଭାବମୂର୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ । ସରକାରୀ ଅଧିକାରୀଙ୍କ ଉପରେ ଲୋକଙ୍କ ନଜର ରହିଥାଏ ତେଣୁ ଭଲକାମ କରିବାକୁ ହେବ ବୋଲି ନବନିଯୁକ୍ତ ଅଧିକାରୀମାନଙ୍କୁ ସେ ସମ୍ବୋଧିତ କରିଥିଲେ । ଇଡ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣନ୍ କୁମାର ଏହି ଅବସରରେ ଯୁବ ଅଧିକାରୀମାନଙ୍କୁ ନିଜର ଦକ୍ଷତା ଓ ବୁଦ୍ଧିମତା ନିମନ୍ତେ ସରକାରୀ ଚାକିରୀ ପାଇଥିବା ଦର୍ଶାଇ ଦେଶ ସେବା ନିମନ୍ତେ ସୁଯୋଗ ପାଇଥିବା ଅଳ୍ପ ଲୋକଙ୍କ ମଧ୍ୟରେ ତୁମେ ରହିଛ ବୋଲି କହିଥିଲେ ।
ପ୍ରାରମ୍ଭରେ ଇଡ୍କୋର ନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ମୁଖ୍ୟ ସାଧାରଣ ପରିଚାଳକ ଡ. ଗଣେଶ୍ୱର ଜେନା ଏହି ନିଯୁକ୍ତି ପ୍ରକ୍ରିୟାକୁ କିପରି ଯୁଦ୍ଧକାଳୀନ ଭିତିରେ ସଂଚାଳନ କରି ଦୀର୍ଘ ବର୍ଷ ପରେ ସ୍ୱାଧୀନ ଭାବେ ନିଗମ ଏହି ନିଯୁକ୍ତି ପ୍ରଦାନ କରିଥିବା ସୂଚାଇ ଥିଲେ । ନବ ନିଯୁକ୍ତ ଏହି ଅଧିକାରୀମାନଙ୍କୁ ଅବଗତ କାର୍ଯ୍ୟକ୍ରମରେ ସାମିଲ କରି ଇଡ୍କୋ ସମ୍ବନ୍ଧରେ ତାଲିମ୍ ପ୍ରଦାନ କରିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିବା ପ୍ରକାଶ ।
