ବସ୍-ଟ୍ରକ୍ ଦୁର୍ଘଟଣାରେ ୧୨ ଲୋକ ଜୀବନ୍ତ ଦଗ୍ଧ, ୪୦ ଆହତ
ବାଡ଼ମେର : ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଜୋଧପୁର-ବାଡ଼ମେର ନେସନାଲ୍ ହାଇୱେରେ ସଂସ୍କାର ସ୍କୁଲ ପାଖରେ ବୁଧବାର ସକାଳେ ବସ୍ ଏବଂ ଟର୍ବୋ ଟ୍ରକ୍ର ମୁହାଁମୁହିଁ ଧକ୍କାରେ ବସ୍ରେ ନିଆଁ ଲାଗିଯିବାରୁ ୧୨ଜଣ ଜୀବନ୍ତ ଦଗ୍ଧ ହେବା ସହିତ ୪୦ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ କଲରାଜ ମିଶ୍ର ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ଦୁଇଲକ୍ଷ ଲେଖାଏଁ ଏବଂ ଆହତଙ୍କୁ ୫୦ହଜାର ଲେଖାଏଁ ଆର୍ôଥକ ସହାୟତାର ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଗହଲୋତ ଆହତଙ୍କ ଉନ୍ନତ ଚିକିତ୍ସାର ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଦୁର୍ଘଟଣାରେ ପ୍ରଥମେ ୫ଜଣଙ୍କର ମୃତ୍ୟୁ ଖବର ଆସିଥିଲା, କିନ୍ତୁ ପରେ ଜିଲ୍ଲା କଲେକ୍ଟର ଲୋକବନ୍ଧୁ ଅନ୍ୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ । ଏଥିରେ ଏକ ଶିଶୁ ମଧ୍ୟ ଅଛି । ଦୁର୍ଘଟଣାରେ ଆହତ ୪୦ ଲୋକଙ୍କ ନିକଟବର୍ତୀ ନାହଟା ରାଜକୀୟ ହସ୍ପିଟାଲ ଏବଂ ଅନ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି, ଯେଉଁଥିରେ ୧୩ ଜଣଙ୍କୁ ଜୋଧପୁର ରେଫର କରିଦିଆଯାଇଛି । ଦୁର୍ଘଟଣାର ସୂଚନା ମିଳିବା ପରେ ପଚପଦରା, ବାଲୋତରା ଏବଂ ରିଫାଇନରୀର ଫାୟର ବ୍ରିଗେଡ ଘଟଣାସ୍ଥଳରେ ପହଂଚିଥିଲେ । ତିନି ଦମକଳ ଅଧଘଂଟା ଅକ୍ଲାନ୍ତ ପରିଶ୍ରମରେ ଦୁଇ ଗାଡ଼ିରେ ଲାଗିଥିବା ନିଆଁ ଉପରେ ନିୟନ୍ତ୍ରଣ ପାଇଥିଲା । ପୋଲିସ୍ ଅନୁଯାୟୀ ଜୋଧପୁର-ବାଡ଼ମେର ନେସନାଲ୍ ହାଇୱେରେ ଭାଣ୍ଡିୟାବାସ ପାଖରେ ବସ୍ ଏବଂ ଟ୍ରକ୍ର ଧକ୍କା ପରେ ବସ୍ରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୀଷଣ ଥିଲା ଯେ କିଛି ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ବସ୍ ଜଳି ନଷ୍ଟ ହୋଇଯାଇଥିଲା । ଆଖପାଖର ଲୋକମାନେ ବସ୍ରେ ଥିବା ଲୋକଙ୍କୁ ତଳକୁ ଓହ୍ଲାଇଥିଲେ । ଆହତ ଲୋକଙ୍କୁ ବାଲୋତରା ହସ୍ପିଟାଲ ପାଇଁ ପଠାଇ ଦିଆଯାଇଥିଲା । ଘଟଣାର ସୂଚନା ପାଇ ପଚପଦରା ବାଲୋତରା ପୋଲିସ୍ ଏବଂ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । ବର୍ତମାନ ନିଆଁ ଉପରେ ନିୟନ୍ତ୍ରଣ ଆସିଯାଇଛି, ତେବେ ପ୍ରଶାସନ ଏବେ ବସ୍ରେ ଥିବା ଲୋକଙ୍କ ସିନାକ୍ତ କରୁଛି ।
