ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲା, ଅଭିନେତା ଶିଜାନ ଖାନ ଗିରଫ
ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଭାଲିଭ ପୋଲିସ ତାଙ୍କ ସହ-ଅଭିନେତା ଶିଜାନ ଖାନଙ୍କୁ ଗିରଫ କରିଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ପୋଲିସ ଶେଜାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ମୁମ୍ବାଇରେ ଏକ ଟିଭି ସିରିଏଲର ଶୁଟିଂ ସେଟରେ ତୁନିଶା ଶର୍ମାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଟଏଲେଟରୁ ଉଦ୍ଧାର କରାଯାଇଥିଲା । ଏସିପି ଚନ୍ଦ୍ରକାନ୍ତ ଯାଦବ କହିଛନ୍ତି ଯେ ତୁନିଶାଙ ମା’ଙ୍କ ଅଭିଯୋଗ କ୍ରମେ ଶିଜାନ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଟେଲି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ଘଟଣା । ଏହି ମାମଲାରେ ତୁନିଶାଙ୍କ କୋ-ଷ୍ଟାର ତଥା ପୂର୍ବତନ ପ୍ରେମିକ ସିଜାନ୍ ଖାନଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ତୁନିଶାଙ୍କୁ ଆତ୍ମହତ୍ୟା କରିବା ପାଇଁ ସିଜାନ୍ ଉସ୍କାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୋଲିସ ତାଙ୍କୁ ବାନ୍ଧିଛି । ସୂଚନା ମୁତାବକ, ତୁନିଶାଙ୍କ ମା’ ଅଭିଯୋଗ ଆଣିଛନ୍ତି, ତାଙ୍କ ଝିଅଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଯାଇଛି। ଏହି ଘଟଣା ପରେ ଅଭିନେତ୍ରୀଙ୍କ କୋ-ଷ୍ଟାର ସିଜାନ ଖାନଙ୍କୁ ପଚରାଉଚରା କରିଯିବା ପରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ୨୦ ବର୍ଷିୟା ଏହି ଅଭିନେତ୍ରୀ ଟେଲି ସୋ ‘ଦାସ୍ତାନ ଏ କାବୁଲ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ ।
ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସିଜାନ୍ ଖାନଙ୍କ ନାମ ଟ୍ରେଣ୍ଡ ହେଉଛି । ଏଭଳି ପରିସ୍ଥିତିରେ ଆଉ ଏକ ବଡ ଖବର ଆସିଛି, ତୁନିଶା ଶର୍ମାଙ୍କ ଗର୍ଭବତୀ ହେବାର ଖବର ମଧ୍ୟ ସାମ୍ନାକୁ ଆସୁଛି। ଏକ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ତୁନିଶା ଗର୍ଭବତୀ ଥିଲେ ଏବଂ ସିଜନଙ୍କୁ ବିବାହ ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ସିଜାନ୍ । ତେଣୁ ତାଙ୍କୁ ଆତ୍ମହତ୍ୟା କରିବାର ଛଡା ଅନ୍ୟ ଉପାୟ ନଥିଲା ବୋଲି କୁହାଯାଉଛି ।
ସୋସିଆଲ ମିଡିଆରେ ୟୁଜର୍ସମାନେ ସିଜାନ ଖାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ,’ ଏହା ଅଶିକ୍ଷିତ ଗରିବ ଶ୍ରେଣୀ ହେଉ କିମ୍ବା ଶିକ୍ଷିତ ଉଚ୍ଚ ଶ୍ରେଣୀ ହେଉ, ସମସ୍ତଙ୍କର ଲକ୍ଷ୍ୟ ସମାନ ଅଟେ।’ ଏହି ଘଟଣାରେ ସିଜାନ୍ ତୁନିଶାଙ୍କୁ ଆତ୍ମହତ୍ୟା କରିବାକୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଛି। ତେବେ,ଗିରଫ ହୋଇଥିବା ସିଜାନ୍ ଖାନ୍ ଆସନ୍ତାକାଲି ଭାସାଇ କୋର୍ଟରେ ହାଜର ହୋଇପାରନ୍ତି ।
ତୁନିଶାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଦେଖିଲେ ସମସ୍ତେ ଅନୁମାନ କରୁଛନ୍ତି ଯେ, ସେ ସଜନଙ୍କୁ ଅଧିକ ପ୍ରେମ କରୁଥିଲେ। ଏଭଳି ପରିସ୍ଥିତିରେ ସେ ବ୍ରେକଅପର ଦୁଃଖ ସହ୍ୟ କରିପାରିନଥିଲେ। ଉଲ୍ଲେଖଥାଉ କି, ତୁନିଶା ଗର୍ଭବତୀ ଥିବା ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ । ତୁନିଶାଙ୍କ ପୋଷ୍ଟମର୍ଟମ ଜେଜେ ହସ୍ପିଟାଲରେ କରାଯାଇଛି। ଆଜି(ରବିବାର) ଅପରାହ୍ନରେ ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏବଂ ୪ଟାରୁ ୪ଟା ୩୦ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ସୂଚନା ଅନୁସାରେ, ମୁମ୍ବାଇ ସ୍ଥିତ ନଏଗାଇଁରେ ତୁନିଶାଙ୍କ ସିରିଏଲ୍ ‘ଅଲ୍ଲି ବାବା, ଦାସ୍ତାଏଁ କାବୁଲ’ର ସୁଟିଂ ଚାଲିଥିଲା । ଏହି ସମୟରେ ସେ ଜଣେ ସହଯୋଗୀଙ୍କ ମେକଅପ୍ ରୁମରେ ମେକଅପ୍ କରିବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି ଫେରି ନଥିଲେ। କବାଟ ବାଡ଼େଇବା ପରେ ବି ଖୋଲି ନଥିଲେ। ଫଳରେ ସେଟରେ ଥିବା କଳାକାରମାନ କବାଟ ଭାଙ୍ଗି ଦେଇଥିଲେ। କବାଟ ଖୋଲିବା ପରେ ତୁନିଶା ବେହୋସ୍ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ତୁନିଶା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ମେକଅପ ରୁମର ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ ସ୍ୱାଭାବିକ ଥିଲେ। ତେଣୁ ହଠାତ ସେ କିଭଳି ଆତ୍ମହତ୍ୟା କଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
