ମଜା, ମସ୍ତି ସହ ନିରୋଳାରେ ଜୀବନକୁ ଉପଭୋଗ କରିବାକୁ ପାଇଁ ବୁଲି ଯାଆନ୍ତୁ ‘ଲାଭାସ’
ଯଦି ଆପଣ ଶିମଳା, ନୈନିତାଲ, ମନାଲି ଭଳି ଶୈଳ ନିବାସ ବାରମ୍ବାର ଯାଇ ବୋର୍ ହୋଇଗଲେଣି, ତେବେ ଏଥର ଟ୍ରାଭେଲ ପ୍ଲାନିଂ ଲାଭାସ ପାଇଁ କରନ୍ତୁ। ମୁମ୍ବାଇ ଓ ପୁନେର ବ୍ୟସ୍ତବହୁଳ ଜୀବନଠାରୁ ଏକ୍ଦମ ଓଲଟା ଲାଭାସ ବାସ୍ତବରେ ଦେଖିବା ଭଳି ଏକ ସ୍ଥାନ। ଏହି ଶୈଳନିବାସରେ ସମସ୍ତଙ୍କ ପାଇଁ କିଛି ନା କିଛି ନୂଆ ରହିଛି। ମଜା, ମସ୍ତି ସହ ନିରୋଳାରେ ଜୀବନକୁ ଉପଭୋଗ କରିବାକୁ ପାଇଁ ବାହାରି ଯାଆନ୍ତୁ ଲାଭାସ।
ଲାଭାସ ଏକ ଯୋଜନାବନ୍ଧ ଶୈଳନିବାସ, ଯାହା ପୁନେ ନିକଟରେ ନିର୍ମାଣ କରାଯାଇଛି। ଇଟାଲିଆନ ସହର ପୋର୍ଟୋଫିନୋ ଆଧାରରେ ଏହି ଶୈଳନିବାସକୁ ନିର୍ମାଣ କରାଯାଇଛି। ଅଧିକାଂଶ କୋଠା ଏବଂ ସଡ଼କ ପୋର୍ଟୋଫିନୋ ନାମାନୁସାରେ ନାମିତ କରାଯାଇଛି। ୱେଷ୍ଟର୍ଣ୍ଣ ଘାଟର ମୁଲ୍ସି ଭ୍ୟାଲିରେ ଏହି ଶୈଳନିବାସ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି। ପୁନେଠାରୁ ୬୫ କିମି ଏବଂ ମୁମ୍ବାଇଠାରୁ ୨୦୦ କିମି ଦୂରରେ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ଶୈଳନିବାସ ଅବସ୍ଥିତ। ତେଣୁ ୱିକ୍ଏଣ୍ଡରେ ଆରାମରେ ଏଠାରେ ଯାଇ ଛୁଟି କଟାଇପାରିବେ। ଏଠାରେ ଥିବା ସବୁଜ ସୁନ୍ଦର ପାହାଡ଼ ଏବଂ ହ୍ରଦ ଆପଣଙ୍କୁ ବିମୋହିତ କରିବ।
ଲାଭାସ ଶୈଳନିବାସରେ ରହିବା ପାଇଁ ଅନେକ ହୋଟେଲର ବ୍ୟବସ୍ଥା ଅଛି। ପର୍ଯ୍ୟଟକଙ୍କ ସୁରକ୍ଷା ଓ ଆରାମଦାୟକ ରହଣି ପାଇଁ ଏଠାରେ ଥିବା ହୋଟେଲଗୁଡ଼ିକ ସୁବିଧା ଦେଉଛନ୍ତି। ଲାଭାସରେ ଉତ୍ତମମାନର ସ୍ପା ଟ୍ରିଟ୍ମେଣ୍ଟର ବ୍ୟବସ୍ଥା ମଧ୍ୟ ରହିଛି। ସାରାଦିନ ବୁଲାବୁଲି କରି ଥକିଯାଇଥିବା ପର୍ଯ୍ୟଟକ ସ୍ପା ଟ୍ରିଟ୍ମେଣ୍ଟ ନେଲା ପରେ ଶରୀରର ସବୁ କଷ୍ଟକୁ ଭୁଲି ଯାଆନ୍ତି।
ଲାଭାସ ଯାଉଥିଲେ ୱାଟର ସ୍ପୋର୍ଟ୍ସର ମଜା ନେବାକୁ ଜମାରୁ ଭୁଲନ୍ତୁ ନାହିଁ। ଏହା ଯେତିକି ମଜାଦାୟକ, ସେତିକି ଦୁଃସାହସିକ କ୍ରୀଡ଼ା। ଏଠାରେ ଥିବା ଭୋର୍ଟେକ୍ସ ସ୍ପ୍ଲାଶ୍ ପ୍ୟାଡରେ ମଉଜ ମସ୍ତିର ପୂରା ସୁଯୋଗ ମିଳିବ। ଏହାବ୍ୟତୀତ ଯଦି ଆପଣ ଶାନ୍ତି ଚାହୁଛନ୍ତି, ତେବେ ଲାଭାସର ସବୁଜିମା ଭରା ଶାନ୍ତ ପାହାଡ଼ ନିକଟରେ ବୁଲିପାରିବେ କିମ୍ବା ହ୍ରଦ ନିକଟରେ କିଛି ସମୟ ଶାନ୍ତିରେ ବସିପାରିବେ।
