ଟ୍ରକ୍- ଅଟୋ ମୁହାଁମୁହିଁ ଧକ୍କା : ୨ ମୃତ, ଜଣେ ଗୁରୁତର
ବଲାଙ୍ଗୀର : ବଲାଙ୍ଗୀର ଜିଲା ସଇଁତଳା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୁରୁବାର ଭୋର ପ୍ରାୟ ୫ଟା ସମୟରେ ଏକ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଦୁଇଜଣ ହେଲେ ଶିଶକେଲା ଗ୍ରାମର ସୁବଳ ସାହୁ (୪୩), କୈବଲ୍ୟ ମାଝୀ (୬୨) ଏବଂ ଗୁରୁତର ବ୍ୟକ୍ତି ଜଣକ ଦେବାଶିଷ ସାହୁ ବୋଲି ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ସଇନ୍ତଳା ତହସିଲଦାର ଯୋଗେଶ୍ୱର ଧରୁଆ, ସଇନ୍ତଳା, ବଡ଼ମାଳ ପୁଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତ ରହିଛନ୍ତି। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଶିଶକେଲା ଗାଁର ମିଠା ବ୍ୟବସାୟୀ ସୁବଳ ସାହୁ, କୈଲବ୍ୟ ମାଝୀ, ଦେବାଶିଷ ସାହୁ ମିଶି ଅଟୋରେ କୁଇକେଡା ପଞ୍ଚାୟତର କଳାହାଣ୍ଡି ସାପ୍ତାହିକ ବଜାରକୁ ମିଠା ବିକ୍ରି ପାଇଁ ଯାଉଥିଲେ । ଏହି ସମୟରେ ଜାତୀୟ ରାଜପଥ ୨୬ ଲୁହୁରାପାଲି ଠାରେ ଏକ ମାଲ୍ ବୋଝେଇ ଟ୍ରକ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଦେବାଶିଷଙ୍କୁ ସଇନ୍ତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ୨୬ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ଅବରୋଧ କରିଛନ୍ତି ।
