ଏମକେସିଜି ମେଡିକାଲରେ ଅବ୍ୟବସ୍ଥା : ରଞ୍ଜନ ରଶ୍ମୀ ନିଦାନ କେନ୍ଦ୍ରରେ ଥିବା ମାମୋଗ୍ରାଫିକ୍ସ ମେସିନ୍ ଦୀର୍ଘ ମାସ ହେବ ଅଚଳ
ଗଞ୍ଜାମ : ଏମକେସିଜି ମେଡିକାଲର ରଞ୍ଜନ ରଶ୍ମୀ ନିଦାନ କେନ୍ଦ୍ରରେ ଥିବା ମାମୋଗ୍ରାଫିକ୍ସ ମେସିନ୍ ଦୀର୍ଘ ମାସ ହେବ ଅଚଳ ଅବସ୍ଥାରେ ପଡ଼ି ରହିଛି । ଉକ୍ତ ମେସିନ ସାହାଯ୍ୟରେ ବ୍ରେଷ୍ଟ କ୍ୟାନସର (ସ୍ତନ କର୍କଟ)ର ଚିହ୍ନଟ ସହ ସ୍ତନ ସମ୍ବନ୍ଧୀୟ ଅନେକ ରୋଗ ଚିହ୍ନଟ କରାଯାଇଥାଏ । କିନ୍ତୁ, କୌଣସି ଯାନ୍ତ୍ରିକ ତ୍ରୁଟି ନିମନ୍ତେ ଏହି ମେସିନ୍ ଅଚଳ ହୋଇଥିବା ବେଳେ ଏହାକୁ ମରାମତି କରାଯାଉ ନାହିଁ । ମେଡିକାଲରେ ଏଭଳି ଏକ ମାତ୍ର ମେସିନ ରହିଥିବା ବେଳେ ବିଭିନ୍ନ ବିଭାଗକୁ ଆସିଥିବା ରୋଗୀ ଉକ୍ତ ମେସିନ ଉପରେ ନିର୍ଭର କରନ୍ତି । ହେଲେ ଅନେକ ମାସ ହେବ ମେସିନଟି ଅଚଳ ରହିଥିବାରୁ ମେଡ଼ିକାଲକୁ ଆସୁଥିବା ଅନେକ ରୋଗୀ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଏହା ସହ ଅନେକ ରୋଗୀ ଉକ୍ତ ପରୀକ୍ଷା ନିମନ୍ତେ ଘରୋଇ ଡ଼ାଗ୍ନୋଷ୍ଟିକ ସେଂଟରକୁ ଯାଉଛନ୍ତି । ମେଡ଼ିକାଲରେ ଏଭଳି ବ୍ୟବସ୍ଥା ନିମନ୍ତେ ଘରୋଇ ଡ଼ାଗ୍ନୋଷ୍ଟିକ ସେଂଟର ଗୁଡ଼ିକ ରୋଗୀଙ୍କ ଠାରୁ ଏହି ପରୀକ୍ଷା ନିମନ୍ତେ ଅଢେଇ ହଜାର ଠାରୁ ତିନି ହଜାର ଟଙ୍କା ନେଇ ଥାଆନ୍ତି । ଯାହାକୁ ଜଣେ ସାଧାରଣ ରୋଗୀଙ୍କ ପାଇଁ ଅତି କଷ୍ଟକର ଅଟେ । ଅନ୍ୟପକ୍ଷରେ ଏଭଳି ଏକ ମେସିନ ବଡ଼ ମେଡିକାଲ ନିକଟରେ ଥିବା ଏକ ଘରୋଇ ଡ଼ାଗ୍ନୋଷ୍ଟିକ ସେଂଟରରେ ଥିବାବେଳେ ଏମକେସିଜିର ରଞ୍ଜନ ରଶ୍ମୀ ବିଭାଗର ଜଣେ ବରିଷ୍ଠ ଡାକ୍ତର ଉକ୍ତ ସ୍ଥାନକୁ ରୋଗୀଙ୍କ ପରୀକ୍ଷା ନିମନ୍ତେ ଯାଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଘରୋଇ ଡ଼ାଗ୍ନୋଷ୍ଟିକ ସେଣ୍ଟର ମାନେ ଭଲ ବ୍ୟବସାୟ କରୁଛନ୍ତି । ତେଣୁ ମେଡିକାଲ କର୍ତୁପକ୍ଷ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
