ସରପଞ୍ଚଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ
ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୁଇ ସମାଜ ସେବା ସମିତି ପକ୍ଷରୁ ନବ ନିର୍ବାଚିତ ସରପଞ୍ଚମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇଥିଲେ । ସେ ନିଜର ସରପଞ୍ଚ ଓ ସମିତି ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମୟର ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ । କୁଇ ସମାଜ ସେବା ସମିତି ସଭାପତି ସୁଦର୍ଶନ କହଁରଙ୍କ ପୌରୋହିତ୍ୟରେ ସରପଞ୍ଚମାନଙ୍କୁ ତାଲିମ ଦିଆଯାଇଥିଲା । ସମ୍ପାଦକ ଅବନିଶ୍ୱର କହଁର କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପଞ୍ଚାୟତରେ ଡିଜିଟାଲ ବ୍ୟବସ୍ଥା କାର୍ଯ୍ୟକ୍ରମ ସମ୍ପର୍କରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଉମାଚରଣ ନାୟକ ସୂଚନା ଦେଇଥିଲେ । ଫୁଲବାଣୀ ମିଳିତ ନାଗରିକ କମିଟିର ଆବାହକ ସମାଜସେବୀ ଅଶୋକ ପରିଡା ତାଲିମ ପ୍ରଦାନ କରିଥିଲେ । ମହାତ୍ମାଗାନ୍ଧୀ ଗ୍ରାମ ସ୍ୱରାଜ, ପଞ୍ଚାୟତର ଉତ୍ପତ୍ତି, ତ୍ରିସ୍ତରୀୟ ପଞ୍ଚାୟତରାଜ, ୭୩ତମ ସମ୍ବିଧାନ ସଂଶୋଧନ, ଗ୍ରାମ ସଭା, ପଲ୍ଲୀ ସଭା, ଗ୍ରାମ ପଞ୍ଚାୟତ ବୈଠକ, ପଞ୍ଚାୟତର କାର୍ଯ୍ୟ, ଅର୍ଥକମିଶନ, ଲଘୁବନଜାତ ଦ୍ରବ୍ୟର ଦର ନିୟନ୍ତ୍ରଣ ଓ ପେସା ଆଇନ ଇତ୍ୟାଦି ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଆଦିବାସୀ ଉପଯୋଜନା ଅର୍ଥ ଖର୍ଚ୍ଚ ନେଇ ଆଲୋଚନା ହୋଇଥିଲା ।
ପଞ୍ଚାୟତ ସଦସ୍ୟଙ୍କ ନିମନ୍ତେ ବିଭିନ୍ନ ଆଇନଗତ ଦିଗ, ପଞ୍ଚାୟତ ଆଇନର ଦୁରୁପଯୋଗ ଓ ଅର୍ଥ କାରବାରରେ ଅନିୟମିତତା ସମ୍ପର୍କରେ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ସୂଚନା ଦେଇଥିଲେ । ପ୍ରତି ବ୍ଲକରେ ବିଧାୟକଙ୍କୁ ଗୋଟିଏରୁ ଦୁଇଟି ଲେଖାଏଁ ଜନ ଶୁଣାଣି କରିବା ପାଇଁ ଅନୁରୋଧ କରାଯାଇଥିଲା । ପ୍ରତି ପଞ୍ଚାୟତରେ କୁଇ ସମାଜ ପାଇଁ ଏକ ସଭାଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଖାଲିପଡିଥିବା ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଆଲୋଚନା କରାଯାଇଥିଲା । ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ସଭ୍ୟା ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ । ପୂର୍ବତନ ବିଧାୟକ ପାର୍ଥି ଦେବ ନାରାୟଣ ପ୍ରଧାନଙ୍କ ସମେତ ଫୁଲବାଣୀ ବିଧାୟକ ପ୍ରତିନିଧି ନିଳାମ୍ବର କହଁରଙ୍କ ସହ କୁଇ ସମାଜ ଯୁବ ପରିଷଦର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା କହଁର ଓ ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର ଯୋଗଦେଇ ମତ ରଖିଥିଲେ । ପଞ୍ଚାନନ କହଁର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
