ଅବକାରୀ ବିଭାଗ ଚଢଉ; ବିପୁଳ ପରିମାଣର ମଦ ଓ ପୋଚ ସହ ଟ୍ରାକ୍ଟର ଜବତ
କଟକ : ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନା ଅଧିନ ବାଲିପୁଟ ଜଙ୍ଗଲ ଭିତରେ ଚଢଉ କରାଯାଇ ୧୩ ହଜାର ୩୩୫ ଲିଟର ମଦରନ୍ଧା ପୋଚ, ୨ ହଜାର ୬୮୫ ଲିଟର ଦେଶୀ ମଦ ଓ ଗୋଟିଏ ଟ୍ରାକ୍ଟର ସହିତ ମଦ ରନ୍ଧାରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରାଯାଇଛି ।
ଜିଲାପାଳ ଭବାନୀ ଶଙ୍କର ଚୟନୀ ଓ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏହି ଜଙ୍ଗଲରେ ଚଢଉ କରାଯାଇଥିଲା । ତେବେ ଚଢଉ ବେଳେ ସେଠାରୁ ଅଭିଯୁକ୍ତମାନେ ଜଙ୍ଗଲ ଭିତରେ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ଅବକାରୀ କର୍ମଚାରୀମାନେ ଟ୍ରାକ୍ଟର ସମେତ ମଦରନ୍ଧା ପୋଚ ଓ ଦେଶୀ ମଦ ଏବଂ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ । ଜବତ ସାମଗ୍ରୀର ମୂଲ୍ୟ ପାଖାପାଖି ୩୯ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢଉରେ ଆଇଆଇସି କେଶବ ଚନ୍ଦ୍ର ଦାସ, ଆଇଆଇସି ସଂଜିତ ବାର୍ଲା, ଏସଆଇ ବିଜୟ କୁମାର ଭଂଜ, ଟେଲସଫର ଲାକ୍ରା, ଦୁର୍ଯ୍ୟୋଧନ ଦିଗଲ, ଏଏସଆଇ ଦେବେନ୍ଦ୍ର କୁମାର ପାତ୍ର, ଦେବାନନ୍ଦ ଭୁୟାଁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।
