ଝାଡୁଧରି ଶୌଚାଳୟ ସଫା କଲେ ପର୍ଯ୍ୟଟନମନ୍ତ୍ରୀ, ଦେଲେ ସୁସ୍ଥ ପରିବେଶର ବାର୍ତ୍ତା
ଖଇରା : ରାଜ୍ୟ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରହୀ ଭିନ୍ନ ଶୈଳିର କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ ଚା’ ତିଆରି କରି, ତ ଆଉ କେବେ ହକର ସାଜି ଖବର କାଗଜ ବାଣ୍ଟି । ଭିନ୍ନ ଭିନ୍ନ ଗୋଷ୍ଠୀ ଓ ସମ୍ପ୍ରଦାୟର ନିକଟତର ହୋଇ ପାରିଛନ୍ତି । ପୁଣି ଥରେ ଝାଡୁଧରି ଶୌଚାଳୟ ସଫା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ସକାଳେ ଅକସ୍ମାତ ଖଇରା ହାଇସ୍କୁଲକୁ ପରିଦର୍ଶନରେ ଯାଇଥିଲେ । ପ୍ରଥମେ ଶୌଚାଳୟ ଯାଇ ମଇଳା ଜମିବା ଯୋଗୁଁ ଏହା ଛାତ୍ରୀଛାତ୍ରଙ୍କ ଦ୍ୱାରା ଅବ୍ୟବହୃତ ହୋଇ ରହିବା ଏବଂ ପାଣି ସଂଯୋଗ ନଥିବା ଜାଣିବାକୁ ପାଇଥିଲେ । ଅନ୍ୟକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ନିଜେ ଝାଡୁ ଯରି ପରିସ୍ରାଗାର ଓ ବେସିନକୁ ସଫା କରିଥିଲେ । ହାଇସ୍କୁଲ ରୁପାନ୍ତରଣ ଦାୟିତ୍ୱରେ ଥିବା ବିଡିଓ ପର୍ଶୁରାମ ପଣ୍ଡା ଓ ଶିକ୍ଷୟତ୍ରୀଶିକ୍ଷକଙ୍କୁ ଏ ସବୁ ବିଷୟ ଉପରେ ଆବଶ୍ୟକୀୟ ଦୃଷ୍ଟି ଦେବାକୁ ତାଗିଦ କରିଥିଲେ । ସେହିଭଳି କାନ୍ଥରେ ଲାଗୁଥିବା ଖସରା ଟାଇଲକୁ ତଳେ ଲଗାଯିବା ଏବଂ ଏହା ପିଲାଙ୍କ ଲାଗି ବିପଦ ସୃଷ୍ଟି କରୁଥିବା ନେଇ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ । ପାଣି ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ପାନୀୟ ଜଳ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟର ଶୈକ୍ଷିକ ପରିବେଶ ପାଇଁ ଶୌଚାଳୟ କୁ ସଫା ରଖିବାର ଆବଶ୍ୟକତା ରହିଛି । ଏହା ପରଠାରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ପ୍ରାୟ ସମସ୍ତ ବିଦ୍ୟାଳୟରେ ଥିବା ଶୌଚାଳୟ ପରିସ୍କାର କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ପାଣିଗ୍ରାହୀ କହିଛନ୍ତି ।
