ଆସନ୍ତାକାଲି ସରିବ ଆଂଶିକ ଲକ୍ଡାଉନ୍ : ଅନଲକ୍ ହେବ କି ଓଡ଼ିଶା?
ଭୁବନେଶ୍ଵର : ରାଜ୍ୟରେ ଜାରି ରହିଥିବା ଆଂଶିକ ଲକ୍ଡାଉନ୍ ଆସନ୍ତାକାଲି ସରିବାକୁ ଯାଉଛି । ସରକାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଲକଡାଉନ ଉପରେ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଖୋର୍ଦ୍ଧା, କଟକ, ବାଲେଶ୍ଵର, ମୟୁରଭଞ୍ଜ ଓ ପୁରୀ ଭଳି ୫ ଜିଲାର ସ୍ଥିତି ଏବେ ଚିନ୍ତା ଜନକ ରହିଛି । କଟକ ଓ ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ସ୍ୱତନ୍ତ୍ର ଫୋକସରେ ରହିଛି ଏହି ଦୁଇ ଜିଲା। ସେହିଭଳି ବାଲେଶ୍ଵର ଓ ମୟୁରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲାରେ ବଳବତ୍ତର ରହିପାରେ କଟକଣା । ଅନ୍ୟପକ୍ଷରେ ପୁରୀରେ ରଥଯାତ୍ରା ଚାଲିଥିବାରୁ ନିଳାଦ୍ରୀ ବିଜେ ପରେ କଟକଣାମୁକ୍ତ କରିବାକୁ ଚିନ୍ତା କରିପାରନ୍ତି ସରକାର । ଗତ ୧୪ ଦିନ ଭିତରେ ରାଜ୍ୟରେ ଦୈନିକ ସଂକ୍ରମଣ କମିଥିବାର ପରିଲକ୍ଷିତ ହୋଇଛି । ଜୁଲାଇ ୧ରେ ପଜିଟିଭିଟି ହାର ୪.୧୭% ଥିବାବେଳେ ବର୍ତ୍ତମାନ ଏହା ହ୍ରାସ ପାଇ ୨.୯୯%ରେ ପହଞ୍ଚିଛି । ତେବେ ଏସବୁକୁ ନେଇ ରାଜ୍ୟରେ ଅନଲକ୍ ହେବ କି ଉଠିବ ସେନେଇ ଆଶା ଆଶଙ୍କା ଜାରି ରହିଛି । ଅନ୍ୟପକ୍ଷରେ ପୂର୍ବଭଳି ପଜିଟିଭିଟି ରେଟ୍ ଆଧାରରେ A, B ଫର୍ମୁଲା ଆପଣାଇପାରନ୍ତି ସରକାର । ଏହାକୁ ନଜରରେ ରଖି ଆଜି ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସରକାର ଘୋଷଣା କରିପାରନ୍ତି ବୋଲି ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ଡିଏମଏଟି ସିବିକେ ମହାନ୍ତି କହିିଛନ୍ତି, ‘କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ବର୍ତ୍ତମାନ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି। ମାତ୍ର ଭାରତରେ ଏଯାଏ ତୃତୀୟ ଲହର ଆସିନି। ତୃତୀୟ ଓ ଚତୁର୍ଥ ଲହର ଆସିପାରେ। ହେଲେ ବର୍ତ୍ତମାନ ଓଡ଼ିଶାରେ ସଂକ୍ରମଣ ତଳମୁହାଁ ଅଛି। ୧୬ ପରେ ପରିସ୍ଥିତି ଦେଖି ଅନଲକ କରାଯିବ।’
ଏ ନେଇ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି କି, ‘ରାଜ୍ୟରେ କରୋନା ସଂକ୍ରମଣ କମୁଛି, ମାତ୍ର ଆମେ ସ୍ଥିତି ଉପରେ ନଜର ରଖୁଛୁ। ଆମକୁ ସଜାଗ ରହିବାକୁ ପଡିବ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସଂକ୍ରମଣ ବଢ଼ୁଥବାରୁ ଏବେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ମଧ୍ୟ ସରକାରଙ୍କ ନଜର ରହିଛି । ତୃତୀୟ ଲହର ଆସୁ କି ନଆସୁ ରାଜ୍ୟରେ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ । କଟକ, ଭୁବନେଶ୍ଵର, ବାଲେଶ୍ଵର, ମୟୁରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି । ଏସବୁ ଜାଗାରେ କେମିତି ସଂକ୍ରମଣ କମିବ ସେ ନେଇ ପଦକ୍ଷେପ ନିଆଯାଉଛି । ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମହାମାରୀରେ ଏମିତି ଓ୍ଵେଭ୍ ଆସେ, ତେବେ ମ୍ୟୁଟେସନ ଯୋଗୁଁ ସଂକ୍ରମଣ ନକମି ବଢ଼ୁଛି । ସରକାରଙ୍କୁ ସମସ୍ତ ତଥ୍ୟ ଦିଆଯାଉଛି, ସରକାର ଠିକ୍ ସମୟରେ ସଠିକ୍ ପଦକ୍ଷେପ ନେବେ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ପରିସ୍ଥିତିକୁ ନଜରରେ ରଖି ଜୁଲାଇ ୧୫ପରେ ମଧ୍ୟ ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି । ସେହିଭଳି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ । ତେବେ ପଜିଟିଭିଟିରେଟ୍ ୫ ପ୍ରତିଶତ ତଳେ ଥିବା ଜିଲ୍ଲାଗୁଡ଼ିକରେ ମଲ, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ ଓ ବସ୍ ଚଳାଚଳକୁ କୋଭିଡ୍ ଗାଇଡଲାଇନ୍ ସହ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର।
