ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଆଜିଠୁ ପୁରୀରେ ୧୪୪ ଧାରା
- ଆଜି ରାତି ୧ଟାରୁ ପହଣ୍ଡି, ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପ ବିଜେ
ପୁରୀ : ଦିନକ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ। ସ୍ନାନବେଦିରୁ ଗଜ ବେଶରେ ବିଶ୍ବର କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ। କୋଭିଡ୍ କଟକଣା ପାଇଁ ବିନା ଭକ୍ତରେ ଚଳିତବର୍ଷର ନୀତିକାନ୍ତି ଅନୁଷ୍ଠିତ ହେବ। ଫଳରେ ଆଜି ରାତିରୁ ପୁରୀ ସହରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଲାଗି ୧୪୪ ଧାରା ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ। କୋଭିଡ କଟକଣା ମଧ୍ୟରେ ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ହେବ। ସେଥିଲାଗି ପୁରୀ ସହରରେ ୧୪୪ ଧାରା ଲାଗୁ କରିବା ସହ ସେବାୟତମାନଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି । ଆସନ୍ତାକାଲି ଶ୍ରୀଜିଉ ସ୍ନାନବେଦୀକୁ ବିଜେ କରିବେ । ସ୍ନାନବେଦୀରେ ଗଜ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। କୋଭିଡ୍ ସ୍ଥିତିରୁ ଚଳିତ ବର୍ଷ ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଦଇତା ପ୍ରବେଶ ନୀତି ଆରମ୍ଭ ହୋଇଛି । ମଙ୍ଗଳ ଆଳତି ପରେ ବିଭିନ୍ନ ବାଡ଼ର ଦଇତା ସେବକ ସିଂହଦ୍ୱାର ଦେଇ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିଛନ୍ତି। ସ୍ନାନଯାତ୍ରା ଲାଗି ଆଜି ରାତିରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଶ୍ରୀଜିଉ ଧାଡି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ୨୪ ତାରିଖ ସକାଳୁ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ ଅନୁଷ୍ଠିତ ହେବ। ଅପରାହ୍ନରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଏହାପରେ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ।
ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଅନୁଯାୟୀ, ବୁଧବାର ରାତି ୧ରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଭୋର ୪ଟା ସୁଦ୍ଧା ପହଣ୍ଡି ଶେଷ ପରେ ଭୋର ସାଢ଼େ ୪ଟାରେ ମଙ୍ଗଳ ଆଳତି, ୪ଟା ୪୦ରେ ମଇଲମ, ୫ଟାରେ ତଡ଼ପଲାଗି, ସାଢ଼େ ୫ଟାରେ ଅଧରପୋଛା, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟପୂଜା, ୭ଟାରେ ବେଶ ଶେଷ ଓ ଦ୍ବାରପାଳ ପୂଜା ପରେ ଜଳ ବିଜେ ନୀତି ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଆରମ୍ଭ ହେବ। ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ପୂଜା, ସ୍ନାନାଦି ନୀତି ସମ୍ପନ୍ନ ପରେ ପୂର୍ବାହ୍ଣ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ । ସାଢ଼େ ୧୦ଟାରେ ଗଜପତି ମହାରାଜଙ୍କ ଦ୍ବାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମହାପ୍ରଭୁ ଗଜ ବେଶ(ହାତୀ ବେଶ)ରେ ଦର୍ଶନ ଦେବେ। ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ୀବନ୍ଧା ନୀତି ସମ୍ପନ୍ନ ହେବ। ଅପରାହ୍ଣ ୧ଟାରୁ ୩ଟା ଭିତରେ ଘଣ୍ଟା ଛତା ସକାଳଧୂପ ନୀତି ଅନୁଷ୍ଠିତ ହେବ। ପ୍ରତିବର୍ଷ ଅପରାହ୍ଣ ୩ଟାରୁ ମହାପ୍ରଭୁଙ୍କ ଗଜବେଶର ସାହାଣମେଲା ଦର୍ଶନ ହୋଇଥାଏ। ଚଳିତବର୍ଷ ଏହି ଦର୍ଶନ ବନ୍ଦ ରଖାଯାଇଛି। ଅପରାହ୍ଣ ୪ଟାରେ ଗଜ ବେଶ ଓଲାଗି ପରେ ସାଢ଼େ ୪ଟାରୁ ପୁଷ୍ପାଞ୍ଜଳି ଓ ଡୋରଲାଗି ଆରମ୍ଭ ହେବ। ଅପରାହ୍ଣ ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଅପରାହ୍ଣ ୫ଟାରୁ ୮ଟା ଭିତରେ ବାହୁଡ଼ା ପହଣ୍ଡି(ଗୋଟି ପହଣ୍ଡି) ଶେଷ ପରେ ରାତି ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ ହେବ। ଦଇତାପତି ସେବକମାନେ ଠାକୁରଙ୍କଠାରୁ ଏହା ଓଲାଗି କରି ଭଣ୍ଡାର ମେକାପଙ୍କ ନିକଟରେ ଦାଖଲ କରିବେ। ଶ୍ରୀଜିଉ ଅଣସର ପିଣ୍ଡିରେ ବିଜେ ପରେ ଜୟବିଜୟ ଦ୍ବାର ନିକଟରେ ଅଣସର ତାଟି ପଡ଼ିବ। ରାତି ୯ଟାରୁ ୧୨ଟା ଭିତରେ ପଟିଦିଅଁ ବା ଦଶ ଅବତାର ବିଜେ ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ଗୋଟାଏରେ ମହାସ୍ନାନ ନୀତି ହୋଇ ପୁନର୍ବାର ରାତି ସାଢ଼େ ୧ଟାରେ ମଇଲମ ଓ ବେଶ ନୀତି ଅନୁଷ୍ଠିତ ହେବ। ରାତି ୨ଟାରୁ ୩ଟା ଭିତରେ ମଧ୍ୟାହ୍ନଧୂପ, ସାଢ଼େ ୩ଟାରେ ଦକ୍ଷିଣୀ ଘର ଭୋଗ, ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ। ବେହେରଣ ଦ୍ବାର ଦେଇ ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବେ। ଭୋର ୪ଟାରେ ଅଣସର ନୀତି ଅନୁଷ୍ଠିତ ହେବ। ଭୋର ୪ଟା ୫୦ରେ ପଣାଭୋଗ ପରେ ବେହେରଣ ଦ୍ବାର ବନ୍ଦ ହୋଇ ଜୟବିଜୟ ଦ୍ବାର ଫିଟିବ। ଏହି ଦିନଠାରୁ ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ଆଦି ନିଷେଧ କରାଯିବ। ଅଣସର ପିଣ୍ଡିରେ ଶ୍ରୀଜିଉ ବିଜେ କରିବା ସମୟରେ ପଟିଦିଅଁଙ୍କଠାରେ ଭୋଗ ଲାଗି ହେବ।
