ଆଜି ଭର୍ଚୁଆଲ ଟୁର୍ରେ ପର୍ଯ୍ୟଟକ ପାଇଁ ପ୍ରଦର୍ଶିତ ହେବ କନ୍ଧ ଜନଜାତିଙ୍କ ଘର
ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁରରେ ଆଜି ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ ମାଧ୍ୟମରେ କନ୍ଧ ଜନଜାତିଙ୍କ ଘର ଦେଖିପାରିବେ । ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ଏହି ସୂଚନା ଦେଇଛନ୍ତି ।
ଓଡ଼ିଶାରେ ଜନଜାତିଙ୍କ ମଧ୍ୟରେ କନ୍ଧ ଜନଜାତିଙ୍କ ସଂଖ୍ୟା ସବୁଠାରୁ ଅଧିକ । ଏମାନେ ଦକ୍ଷିଣ ଓଡ଼ିଶା ବିଶେଷତଃ ରାୟଗଡ଼ା, କନ୍ଧ ମାଳ, କଳାହାଣ୍ଡି, କୋରାପୁଟ ଜିଲା୍ଲ ରେ ବସବାସ କରିଥାନ୍ତି । ନିର୍ଦ୍ଦିଷ୍ଟ ଅଂଚଳ ରେ କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ଦେଶିଆ କନ୍ଧ ଆଦି ବାସ କରନ୍ତି । ସେମାନେ ‘କୁଇ’ ଓ ‘କୁଭି’ ଭାଷାରେ କଥା ହୁଅନ୍ତି । କନ୍ଧମାନଙ୍କର ଘର ହେଉଛି ଚତୁର୍ଭୁଜାକାର । ସେମାନଙ୍କ ଘରେ ଝରକା ନଥାଏ ଓ ଚଉଡ଼ା ବାରଣ୍ଡା ରହିଥାଏ । ମୁଖ୍ୟ ରହିବା ଘରେ କାଠରେ ତିଆରି ବେଦି ପରି ଉଚ୍ଚସ୍ଥାନରେ ଶସ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହିଥାଏ । ରନ୍ଧନଶାଳାରେ ଚୁଲି ଓ ପୂଜା ପାଇଁ ସ୍ଥାନ ରଖାଯାଇଥାଏ । କନ୍ଧ ଜନଜାତିଙ୍କର ଘର ପଛପଟେ ଗୃହପାଳିତ ପଶୁ ରଖିବାର ବ୍ୟବସ୍ଥା କରାଯାଇଥାଏ ।
