ଆଜି ଭର୍ଚୁଆଲ୍ ଟୁରରେ କୁଟିଆ କନ୍ଧ ଜନଜାତିଙ୍କ ଜୀବନଶୈଳୀ
ଭୁୁବନେଶ୍ୱର : ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦନି ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁରର ବ୍ୟବସ୍ଥା କରାଯାଇଛି । ରବିବାର ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର ପେଜ୍ ଖୋଲି କୁଟିଆ କନ୍ଧ ଜନଜାତିଙ୍କର ଜୀବନଶୈଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର(ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଓଡ଼ିଶାର ଦକ୍ଷିଣ-ପଶ୍ଚିମାଂଚଳରେ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ବଣପାହାଡ଼ଘେରା ଅଂଚଳରେ କୁଟିଆ କନ୍ଧ ଜନଜାତି ବସବାସ କରନ୍ତି । କୁଟିଆ କନ୍ଧ ପରିବାର ଏକ ଛୋଟ ପରିବାର ଅଟେ । ପରିବାରକୁ କେନ୍ଦ୍ର କରି ସେମାନଙ୍କର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନଶୈଳୀ ଅତିବାହିତ ହୋଇଥାଏ । ଝାଡ଼ୁ ତିଆରି, ମ୍ୟାଟ୍ ତିଆରି, ଝୁଡ଼ି ତିଆରି ଆଦି ସେମାନଙ୍କର ମୁଖ୍ୟ ପେଶା ଅଟେ । ସେମାନେ ପୋଡ଼ୁ ଚାଷ କରିଥାନ୍ତି । ସେମାନେ ପ୍ରତୀକାତ୍ମକ ବା ସାଙ୍କେତିକ ଧାର୍ମିକ ଚିହ୍ନରେ ସିନ୍ଦୁର ବ୍ୟବହାର କରିଥାନ୍ତି । ଧରଣୀପେନୁ ହେଉଛନ୍ତି କୁଟିଆ କନ୍ଧ ଜନଜାତିଙ୍କର ମୁଖ୍ୟ ଦେବୀ । କୁଟିଆ କନ୍ଧ ଜନଜାତି ଏକ ସ୍ୱତନ୍ତ୍ର ପୋଷାକ ପରିଧାନ କରିଥାନ୍ତି । ସେମାନେ ଆତ୍ମରକ୍ଷା କରିବା ଭଳି ଅଳଙ୍କାର ବ୍ୟବହାର କରିବା ସହିତ ବାହୁ ଓ ମୁଖରେ ଚିତା କୁଟାଇଥାନ୍ତି


