ଆଜି ସ୍ନାନଯାତ୍ରା : ସ୍ନାନବେଦୀରେ ଦର୍ଶନ ଦେବେ ଶ୍ରୀଜିଉ
୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି
ପୁରୀ : ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନବେଦୀରେ ଶ୍ରୀଜିଉଙ୍କ ଦେବସ୍ନାନ ଦେଖିବା ସହ ମହାପ୍ରଭୁଙ୍କ ଗଜବେଶକୁ ସିଧାସଳଖ ଦର୍ଶନ କରିବେ ଭକ୍ତ । ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଦେବସ୍ନାନ ଦେଖିବ ୧୪ ବ୍ରହ୍ମାଣ୍ଡ । ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତି । ଦୁଇ ବର୍ଷ ପରେ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିବାକୁ ଅଥୟ ହେଲାଣି ଭକ୍ତର ମନ । ମଙ୍ଗଳବାର ଭୋର୍ ୪ଟାରୁ ୬ ମଧ୍ୟରେ ଶେଷ ହେବ ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ସକାଳ ୯ଟାରୁ ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ସ୍ନାନନୀତି । ଦିନ ୧୨ଟା ୧୫ରେ ଛେରା ପହଁରା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ଗଜାନନ ବେଶ କରାଯିବ । ସାହାଣମେଲା ଦର୍ଶନ ସନ୍ଧ୍ୟା ୬ଟାର ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ । ରାତି ୧୦ଟାରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ ।
ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଖଞ୍ଜା ଯାଇଛି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ପାଇଁ ଆଜି ବସିଥିଲା ସମୀକ୍ଷା ବୈଠକ । ଏଡିଜି ଆଇନଶୃଙ୍ଖଳା ଆର.କେ ଶର୍ମା, କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ଓ ପୁରୀ ଏସ୍ପି କେ. ବିଶାଲ ସିଂହଙ୍କ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବା ପାଇଁ ମଙ୍ଗଳବାର ୪ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଆଖି ଆଗରେ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ଜାକ୍ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ପଂଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୩ କମାଣ୍ଡାଂଟ, ୧୧ ଅତିରିକ୍ତ ଏସ୍ପି, ୨୧ ଡିଏସ୍ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍ ଇନ୍ସପେକ୍ଟର, ୧୦୦୦ କନଷ୍ଟେବଳ ଓ ହୋମ୍ଗାର୍ଡ ମୁତୟନ ହେବେ । ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି ଖଞ୍ଜା ଯାଇଛି । ୫ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି । ତିନୋଟି ଫେଜରେ ବ୍ୟାରିକେଡ ବ୍ୟବସ୍ଥା, ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ଜିକଜାକ ବ୍ୟାରିକେଡ଼ରେ ସ୍ନାନ ମଣ୍ଡପ ପାଖରେ ଦର୍ଶନ କରିବେ । ସ୍ନାନଯାତ୍ରା ପାଇଁ ସୋମବାର ସେନାପଟା ଲାଗି ନୀତି କରିଛନ୍ତି ଦଇତାପତି ସେବାୟତ । ଏହି ଗୁପ୍ତନୀତି ପାଇଁ ଶନିବାର ସକାଳୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଏମିତିକି ଶ୍ରୀମନ୍ଦିର ବେଢ଼ାରେ ଥିବା ଅନ୍ୟ ମନ୍ଦିରଗୁଡ଼ିକରେ ଦର୍ଶନ ବନ୍ଦ କରାଯାଇଥିବାରୁ ଭକ୍ତ ଓ ସେବାୟତଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ସ୍ନାନଯାତ୍ରା ପାଇଁ ନୀତିନିର୍ଘଣ୍ଟ :
ରାତି ୩ଟା ୩୦: ମଙ୍ଗଳାର୍ପଣ
ଭୋର ୪ଟାରୁ ସକାଳ ୬ଟା: ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ ଚାରିଠାକୁର
୬ଟା ପରେ: ମଙ୍ଗଳଆଳତି, ମଇଲମ
ସକାଳ ୯ଟା ୩୦ରୁ ସାଢ଼େ ୧୧ଟା: ସ୍ନାନନୀତି
ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସୁୁବାସିତ ଜଳ ଆଣିବେ ଗରାବଡୁ ସେବାୟତ
ପଞ୍ଚଉପଚାର ବିଧିରେ ମେକାପଙ୍କ ସହାୟତରେ ଜଳଲାଗି କରାଯିବ
ମଧ୍ୟାହ୍ଣ ୧୨ଟା ୧୫ରୁ ୧୨ଟା ୪୫: ମହାପ୍ରଭୁଙ୍କ ଛେରାପହଁରା ନୀତି
୧୨ଟା ୪୫ରୁ ସାଢ଼େ ୨ଟା: ଶ୍ରୀଜିଉଙ୍କ ହାତୀବେଶ
୩ ଘଣ୍ଟା ପର୍ଯ୍ୟନ୍ତ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
