ଆଜି ଭୁବନେଶ୍ବରରୁ ଦୁବାଇକୁ ଉଡି଼ବ ଫ୍ଲାଇଟ୍,ଏତିକି ରହିଛି ଟିକେଟ୍ ମୂଲ୍ୟ
ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ବରରୁ ଦୁବାଇକୁ ସିଧା ବିମାନ ସେବା ବା ଡିରେକ୍ଟ ଫ୍ଲାଇଟ୍ ସର୍ଭିସ୍ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ । ସନ୍ଧ୍ୟା ୬ଟା ୩୦ ମିନିଟରେ ଏହି ସେବାର ଶୁଭାରମ୍ଭ କରିବେ ମୁଖମନୀନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପ୍ରଥମ ଦିନରେ ଦୁବାଇ ଯିବାକୁ ସମସ୍ତ ବୁକିଂ ହୋଇଥିବା ସୂଚନା ମିଳିଛି । ସପ୍ତାହକୁ ତିନି ଦିନ ଅର୍ଥାତ୍ ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି । ଏହି ବିମାନ ସେବା ଆରମ୍ଭ ହେବା ଫଳରେ ଓଡି଼ଶାବାସୀଙ୍କ ଲାଗି ଦୁବାଇ ଯାତ୍ରା ସହଜ ହେବ। ଏହି ସେବା ଆରମ୍ଭ ହେଲେ ଓଡ଼ିଶାରେ ଅଧିକ ବ୍ୟବସାୟ ଓ ପୁଞ୍ଜିନିବେଶ ପାଇଁ ସୁଯୋଗ ସୃଷ୍ଟି ହେବ ।
ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର- ଦୁବାଇ ସିଧାସଳଖ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କରିଥିଲେ। ଟିକେଟ ମୂଲ୍ୟ ଗୋଟିଏ ପାଶ୍ବ ପାଇଁ ୧୦ ହଜାର ଟଙ୍କା ଥିବା ବେଳେ ରାଉଣ୍ତ ଟ୍ରିପ୍ ପାଇଁ ୨୦ ହଜାର ଟଙ୍କାରୁ ଆରମ୍ଭ ହେବାକୁ ଥିବା ସ୍ଥିର ହୋଇଥିଲା । କିନ୍ତୁ ଟିକେଟ୍ ବୁକିଂ ସମୟରେ ଏହା ୨୬ରୁ ୨୮ ହଜାର ଟଙ୍କା ଦେଖାଉଥିବାରୁ ଏହାକୁ ନେଇ ଦ୍ବନ୍ଦ ଦେଖାଦେଇଛି ।
ସୂଚନା ଥାଉ କି, ରାଜ୍ୟ ସରକାର ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ଆବଶ୍ୟକ ସବ୍ସିଡି ପ୍ରଦାନ କରିବେ । ଗତ ଡିସେମ୍ବର ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଇଣ୍ଡିଗୋ ଏୟାରଲାଇନ୍ସକୁ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍ ସିଧାସଳଖ ବିମାନ ଚଳାଚଳ ନେଇ ଟେଣ୍ଡରକୁ ଅନୁମୋଦନ କରାଯାଇଥିଲା । ସପ୍ତାହକୁ ୩ ଦିନ ଇଣ୍ଡିଗୋର ୧୮୬ ସିଟ୍ ବିଶିଷ୍ଟ ଏକ ବିମାନ ଭୁବନେଶ୍ୱରରୁ ଦୁବାଇ ଚଳାଚଳ କରିବ । ସେହିପରି ଜୁନ୍ ୩ରେ ମଧ୍ୟ, ଭୁବନେଶ୍ୱରରୁ ସିଙ୍ଗାପୁର ଓ ଭୁବନେଶ୍ୱରରୁ ବ୍ୟାଙ୍କକକୁ ମଧ୍ୟ ସିଧା ସଳଖ ବିମାନ ସେବା ଆରମ୍ଭ ହେବ । ଏହି ସହରକୁ ସପ୍ତାହରେ ଦୁଇ ଦିନ ଉଡିବ ବିମାନ । ସିଙ୍ଗାପୁରକୁ ମଙ୍ଗଳବାର ଓ ଶନିବାର, ବ୍ୟାଙ୍କକକୁ ବୁଧବାର ଓ ରବିବାର ବିମାନ ସେବା ଉଡ଼ାଣ ନେଇ ସୂଚନା ରହିଛି । ଇଣ୍ଡିଗୋ ଏୟାରଲାଇନସ ଏହି ରୁଟରେ ଉଡାଣ ସେବା ଯୋଗାଇ ଦେବ । ଏନେଇ ଅଗ୍ରୀମ ଟିକଟ ବୁକିଂ ସେବା ଗତ କିଛି ଦିନ ହେବ ଆରମ୍ଭ ହୋଇଛି । ଚଳିତ ବର୍ଷ ମାର୍ଚ୍ଚ ୫ରେ,ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପରୁ ବିମାନ ସେବା ଆରମ୍ଭ ହୋଇଥିଲା।
ପ୍ରଥମ ଥର ପାଇଁ ଭୁବନେଶ୍ୱର ରଙ୍ଗେଇଲୁଣ୍ତା-ଭୁବନେଶ୍ୱର ବମାନ ଉଡ଼ାଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ୯ ସିଟେଡ୍ ସ୍ୱତନ୍ତ୍ର ଚାର୍ଟଟ ବିମାନ ସେବା ଆରମ୍ଭ ହୋଇଥିଲା । ଯାହା ସପ୍ତାହକୁ ୨ ଥର ଉଡାଣ ଭରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ । ସେହିପରି ଜେଟ୍ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ପ୍ରଥମ ଥର ବିମାନ ସେବା ଆରମ୍ଭ କରିବା ନେଇ ସୂଚନା ରହିଛି ।
