ଆଜି ମହିଳା ଏସିଆ କପ ଫାଇନାଲ : ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା
ଢାକା: ମହିଳା ଟି-୨୦ ଏସିଆ କପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । ପ୍ରଥମ ସେମି ଫାଇନାଲରେ ଭାରତୀୟ ମହିଳା ଦଳ ଅପେକ୍ଷାକୃତ ଦୁର୍ବଳ ଥାଇଲ୍ୟାଣ୍ଡକୁ ୭୪ ରନରେ ହରାଇ ଥିବା ବେଳେ ଦ୍ୱିତୀୟ ସେମି ଫାଇନାଲ ବେଶ ରୋମାଂଚକର ଭାବେ ଶେଷ ହୋଇଛି । ଏହି ମ୍ୟାଚ୍କୁ ଶ୍ରୀଲଙ୍କା ମାତ୍ର ୧ ରନରେ ଜିତି ପାକିସ୍ତାନର ସବୁ ଆଶାରେ ପାଣି ପକାଇ ଦେଇଛି । ଶେଷ ବଳରେ ଜିତିବା ପାଇଁ ୩ ରନ ଦରକାର ଥିବା ବେଳେ ପାକିସ୍ତାନ ୧ ରନ କରିବାକୁ ସକ୍ଷମ ହୋଇଥିଲା । ଏବେ ଶନିବାର ଭାରତ ଓ ଶ୍ରୀଲଙ୍କା ଟ୍ରଫି ପାଇଁ ଲଢ଼େଇ କରିବେ । ଭାରତ ଏଯାଏ ୮ ଥର ଫାଇନାଲକୁ ଯାଇଥିବା ବେଳେ ୭ଥର ଟ୍ରଫି ଜିତିଛି । ଗତଥର ଭାରତ ଫାଇନାଲରେ ବାଂଲାଦେଶ ଠାରୁ ହାରି ଯାଇଥିଲା । ହେଲେ ଏଥର ହରମନପ୍ରୀତ କୌରଙ୍କ ଭାରତୀୟ ଟିମ୍ ଜବରଦସ୍ତ ଲୟରେ ରହିଛି । ଏସିଆ କପରେ ଭାରତୀୟ ମହିଳା ଦଳ ଏଯାଏ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟିରେ ଜିତିଛି । ଏକମାତ୍ର ମ୍ୟାଚ୍ ଦଳ ପାକିସ୍ତାନ ଠାରୁ ହାରିଥିଲା । ଏହାର ବଦଲା ଭାରତ ଫାଇନାଲରେ ନେବାକୁ ଲକ୍ଷ୍ୟ ରଖିଥିଲେ ହେଁ ପାକିସ୍ତାନ ଟିମ ସେମି ଫାଇନାଲରୁ ହିଁ ବିଦା ହୋଇଯାଇଛି ।
ପ୍ରଥମ ସେମିଫାଇନାଲ୍ ରେ ଟସ୍ ଜିତି ଥାଇଲାଣ୍ଡ ପ୍ରଥମେ ବୋଲିଂ କରିଥିଲା । ହେଲେ ଶେଫାଳି ବର୍ମା (୪୨ ରନ୍, ୨୮ ବଲ୍, ୫ ଚୌକା, ୧ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଅଧିନାୟିକା ହର୍ମନପ୍ରୀତ୍ କୌର (୩୬ ରନ୍, ୩୦ ବଲ୍, ୩ ଚୌକା), ଜେମିମା ରଦ୍ରିଗ୍ୱେଜ (୨୭ ରନ୍, ୨୬ ବଲ୍, ୩ ଚୌକା), ପୂଜା ବସ୍ତ୍ରକାର (୧୭ ରନ୍, ୧୩ ବଲ୍, ୧ ଛକା) ଓ ସ୍ମୃତି ମନ୍ଧାନା (୧୩ ରନ୍, ୧୪ ବଲ୍, ୩ ଚୌକା)ଙ୍କ ବଳରେ ଭାରତ ୬ ୱିକେଟ୍ ବିନିମୟରେ ୧୪୮ ରନ୍ କରିନେଇଥିଲା । ଥାଇଲାଣ୍ଡ ପକ୍ଷରୁ ସ୍ୱର୍ଣ୍ଣାରିନ ଟିପୋକ୍ (୩/୨୪) ସଫଳ ବୋଲର ରହିଥିଲେ । ଜବାବରେ ଦୀପ୍ତି ଶର୍ମା (୪-୧-୭-୩), ରାଜେଶ୍ୱରୀ ଗାଏକ୍ୱାଡ (୪-୦-୧୦-୨), ରେଣୁକା ସିଂହ (୨-୦-୬-୧), ଶେଫାଳି ବର୍ମା (୨-୦-୯-୧) ଓ ସ୍ନେହ ରାଣା (୪-୦-୧୬-୧)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ଥାଇଲାଣ୍ଡ ୭୪/୯ରେ ଅଟକିଯାଇଥିଲା । କେବଳ ଅଧିନାୟିକା ନରୁଇମୋଲ ଚାଇୱାଇ (୨୧) ଓ ନତାୟା ବୁଚାଥମ୍ (୨୧) ଦୁଇ ଅଙ୍କ ଛୁଇଁଥିଲେ । ଶେଫାଳି ବର୍ମା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।
ଗୁରୁବାରର ଦ୍ୱିତୀୟ ସେମିଫାଇନାଲ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା । ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ହର୍ଷିତା ମାଧବୀ (୩୫), ଅନୁଷ୍କା ସଞ୍ଜୀବନୀ (୨୬), ନିଲାକ୍ଷୀ ଡି’ ସିଲ୍ଭା (୧୪), ହାସିନି ପେରେରା (୧୩) ଓ ଅଧିନାୟିକା ଚମାରୀ ଆଟାପଟୁ (୧୦)ଙ୍କ ବଳରେ ୬ ୱିକେଟ୍ ବିନିମୟରେ ୧୨୨ ରନ୍ କରିଥିଲା । ପାକିସ୍ତାନ ପକ୍ଷରୁ ନସ୍?ରା ସାନ୍ଧୁ (୩/୧୭) ସଫଳ ବୋଲର ରହିଥିଲେ । ଜବାବରେ ଅଧିନାୟିକା ବିସ୍ମା ମାରୁଫ୍ (୪୨), ନିଦା ଦାର୍ (୨୬), ମୁନୀବା ଅଲୀ (୧୮) ଓ ଓମାଇମା ସୋହେଲ (୧୦)ଙ୍କ ଲଢ଼ୁଆ ପାଳି ସତ୍ୱେ ସିଂହଳୀ ବୋଲରମାନେ ପାକିସ୍ତାନ ପାଳିକୁ ୧୨୧/୬ରେ ରୋକି ଦେଇ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲେ । ଶେଷ ଓଭରର ଶେଷ ବଲ୍ରେ ନିଦା ଦାର୍ଙ୍କ ରନ୍ ଆଉଟ୍ ହିଁ ପାକିସ୍ତାନକୁ ବିଜୟରୁ ବଂଚିତ ରଖିଥିଲା । ଶ୍ରୀଲଙ୍କା ପକ୍ଷରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଇନୋକା ରଣବୀରା (୪-୧-୧୭-୨) ସଫଳ ବୋଲର ରହିଥିଲେ ।
