ଆଜି ଶ୍ରୀଜିଉଙ୍କ କୃଷ୍ଣ ବଳରାମ ବେଶ ନୀତି
ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି କୃଷ୍ଣ ବଳରାମ ବେଶରେ ଦର୍ଶନ ଦେବେ। ଏହି ବେଶରେ ଉଭୟ କୃଷ୍ଣ ଅର୍ଥାତ୍ ପ୍ରଭୁ ଜଗନ୍ନାଥ ଏବଂ ବଳରାମ ଅର୍ଥାତ୍ ପ୍ରଭୁ ବଳଭଦ୍ର କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି। ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ ଥାଏ।ସେହିପରି ବଳରାମଙ୍କ ଡ଼ାହାଣ ହାତରେ ଶିଘାଂ ଓ ବାମ ହସ୍ତରେ ପଦ୍ମ ଫୁଲ ଥାଏ। କିରୀଟ ଉପରେ ସପ୍ତଫେଣିଆ ସର୍ପ ମଧ୍ୟ ବିରାଜମାନ କରିଥାନ୍ତି । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଦିଥିବା ବେଳେ ଏହି ପାଗଦ୍ୱୟ କିରୀଟଯୁକ୍ତ ହୋଇଥାଏ। ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଷ୍ଠ ନିର୍ମିତ ତଥା ଜରି ଜମ୍ୱୁରାରେ ଆଛାଦିତ ସିଂହାସନରେ ଚକାମୁଣ୍ତି ପକାଇ ପ୍ରଭୁ ପଦ୍ମାସନରେ ଉପନିବଶ କରନ୍ତି। ବାଙ୍କଚୂଳ କିରୀଟ ଉପରେ ପତ୍ରଲଗା କଦମ୍ୱ ଫୁଲ ଶୋଭାପାଇଥାଏ।
ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ଗୌଡ଼ବାଡ଼ ସାହି ପକ୍ଷରୁ ଶ୍ରୀକୃଷ୍ଣ ଲୀଳା ପରିବେଷଣ କରାଯାଇଥାଏ। ନୀତି ପରମ୍ପରା ଅନୁଯାୟୀ, ମଧ୍ୟାହ୍ନ ଧୂପ ପରେ ଏହି ନୀତି ଆରମ୍ଭ ହୋଇଥିଲା। ସଂଧ୍ୟାଧୂପ ବଢ଼ିବା ସହ ତିନି ଠାକୁର ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁ୍ଭଦ୍ରାଙ୍କ ଶୃଙ୍ଗାର କରାଯାଇଥାଏ। ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ଦର୍ଶନ ଦେବେ। ବଡ଼ ଠାକୁର ବଳଭଦ୍ର ବଳରାମ ବେଶରେ ଦର୍ଶନ ଦେବେ । ମା’ ସୁଭଦ୍ରା ଚତୁର୍ଭୁଜା ବେଶରେ ଦର୍ଶନ ଦେବେ । ଚାରିଭୁଜରେ ବିଭିନ୍ନି ଆୟୁଧ ସାଙ୍ଗକୁ ପଦ୍ମାସନରେ ବସିଥିଲେ ମା’। ଏହାସହ ଖିରି, ଅମ୍ବାଲୁ ଆଦି ଲାଗି କରାଯାଇଥିଲା। ଅନ୍ୟପଟେ ମା’ ଆଲାମଚଣ୍ଡୀଙ୍କ ମନ୍ଦିରରୁ ସପ୍ତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯିବ। ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଏହି ତାଡ଼ ଆଣିବା ପାଇଁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଲାମଚଣ୍ଡୀ ମନ୍ଦିରକୁ ଯିବା ନେଇ ସୂଚନା ରହିଛି ।
କୃଷ୍ଣ ବଳରାମ ବେଶ ରେ ଲାଗି ହେଉଥିବା ଅଳଙ୍କାର :
ଚୂଳ (ସୋଲ ନିର୍ମିତ), କିରୀଟ(ସୋଲ ନିର୍ମିତ), ଛାତି, ବେଣୀ, ଶ୍ରୀଭୁଜ (୨) ଓ ଶ୍ରୀପୟର (୨) – ଜଗନ୍ନାଥ, ଶ୍ରୀଭୁଜ(୨) ଓ ଶ୍ରୀପୟର (୨) – ବଳଭଦ୍ର, ଶ୍ରୀଭୁଜ (୪) ଓ ଶ୍ରୀପୟର (୨) – ସୁଭଦ୍ରା, ଆଡକାନି (ସୋଲ ନିର୍ମିତ), ବଂଶୀ (ସୋଲ ନିର୍ମିତ)- ଜଗନ୍ନାଥ,
ଶିଂଘା – ବଳଭଦ୍ର – ସୁଭଦ୍ରା, ଅଙ୍କୁଶ – ସୁଭଦ୍ରା, ଅଳକା, କର୍ଣ୍ଣକୁଣ୍ଡଳ (୩ ହଳ), ୧୫. ଅଣ୍ଟା ପଟି, ହାତ ଫେର (୮ ଗୋଟି), ବାହୁ ( ୬ଗୋଟି), କାନୀ (୩ ଗୋଟି), ନାକୁଆସି, ସୂର୍ଯ୍ୟ ଚନ୍ଦ୍ର, କର୍ଣ୍ଣ ଶିକୁଳି, ସୋଲ ନିର୍ମତ କଦମ୍ବ ଫୁଲ, କାଠ ସିଂହାସନ, ପଦ୍ମ ।
ଏହି ବେଶ ରେ ଲାଗି ହେଉଥିବା ଅନ୍ୟାନ୍ୟ ପ୍ରତିମା :
ଗାଈ (କାଷ୍ଠ ନିର୍ମିତ), ବ୍ରହ୍ମା, ଇନ୍ଦ୍ର, ଗୋପାଳ ବାଳକ, ନନ୍ଦ, ଯଶୋଦା, ବସୁଦେବ, ଦେବକୀ, ରୋହିଣୀ, ଗୋପାଳୁଣୀ ।
