ଆଜି ଶ୍ରୀଜୀଉଙ୍କ ଭଉଁରୀ ଉତ୍ସବ
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଆଜି ଶ୍ରୀଜୀଉଙ୍କର ଭଉଁରୀ ଉତ୍ସବ ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି କରାଯିବା ସହିତ ୫ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ଭଉଁରୀ ତିଥିରେ ଶ୍ରୀକ୍ଷେତ୍ରରେ ଚକ ଡେରା ନୀତି ଅନୁଷ୍ଠିତ ହେବ। ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ଡେରା ଯିବାର ପରମ୍ପରା ରହିଛି। ତାହାକୁ ଦୃଷ୍ଟିରେ ରଖି ମହାରଣା ସେବକଙ୍କ ଦ୍ୱାରା ଆବଶ୍ୟକ ସଂଖ୍ୟକ ଅଖ ଓ ଚକ ନିର୍ମାଣ ଶେଷ ହୋଇଛି। କରୋନା ସଂକ୍ରମଣ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ପ୍ରତିଦିନ କୋଭିଡ୍ ପରୀକ୍ଷା କରାଯାଉଛି। ରଥଖଳା ଚାରିପଟେ କନାବାଡ଼ କରାଯିବା ସହ ଅନ୍ୟମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି। କରୋନା କଟକଣା ମଧ୍ୟରେ ରଥ ନିର୍ମାଣ କରାଯାଉଛି।
୩ ରଥର ୨ଟି ଲେଖାଏ ଚକ ସହ ଅଖ ସଂଯୋଗ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିବେ। ଏହାପରେ ବିଶ୍ଵକର୍ମା ଭୋଇ ସେବାୟତଙ୍କ ସହଯୋଗରେ ଚକ ଅଖ ଡେରା କାମ ସଂପନ୍ନ ହେବ। ଏଥିପାଇଁ ୪୨ଟି ଚକରୁ ୧୮ଟି ଚକ କାମ ସରିଛି। ଅନ୍ୟ ଚକ ଗୁଡିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପଇ ସଂଯୋଗ କରାଯାଉଛି। ସେହିପରି ରୂପକାର ସେବାୟତମାନେ ୩ରଥର କୋଣଗୁଜରେ ଖୋଦେଇ କାମ ଜାରି ରହିଛି । ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥଖଳା ଓ ନରେନ୍ଦ୍ର ପୋଖରୀ ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଟ୍ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସୁରକ୍ଷା ଦୃଷ୍ଟିରୁ ରଥଖଳା ସହ ନରେନ୍ଦ୍ର ପୋଖରୀର ଚତୁଃପାର୍ଶ୍ବରେ ପୋଲିସ ମୁତୟନ ହେବେ । ଚନ୍ଦନ ଯାତ୍ରାଠାରୁ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି ରହିଛି।


