ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା
- ବୁଧବାର ରାତିରୁ ୧୪୪ ଧାରା ଲାଗୁ
- ସ୍ନାନବେଦୀରେ ବିଜେ ଚତୁର୍ଦ୍ଧାମୂର୍ତ୍ତି
- କଟକଣାରେ ଚାଲିଛି ଦେବସ୍ନାନ ବିଧି
- ମଧ୍ୟାହ୍ନରେ ହେବ ହାତୀବେଶ
- ଛେରାପହଁରା କରିବେନି ଗଜପତି
ପୁରୀ : ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ କୋଭିଡ୍ କଟକଣାରେ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ଚାଲିଛି। ଏଥିପାଇଁ ମଧ୍ୟରାତ୍ରରୁ ଦିଅଁମାନଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ଅଣାଯାଇ ସ୍ନାନବେଦୀରେ ବିଜେ କରାଯାଇଛି। ରତ୍ନବେଦିରୁ ସ୍ନାନବେଦିକୁ ଆସିଛନ୍ତି ଚତୁର୍ଦ୍ଧାବିଗ୍ରହ । କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବୁଧବାର ରାତି ୧୦ ଟାରୁ ୧୪୪ ଧାରା ଲାଗୁ କରାଯାଇଛି। ଭକ୍ତ ମାନେ ବଡଦାଣ୍ଡକୁ ନଆସି ଟିଭିରେ ସିଧା ପ୍ରସାରଣ ମାଧ୍ୟମରେ ସ୍ନାନଯାତ୍ରା ଓ ହାତୀବେଶ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ନିଶାର୍ଦ୍ଧରେ ବାଜି ଉଠିବ ଘଣ୍ଟ ଘଣ୍ଟା କାହାଳି। ରତ୍ନବେଦିରୁ ଓହ୍ଲାଇ ଆସିଛନ୍ତି ଶ୍ରୀଜୀଉ । ଧାଡି ପହଣ୍ଡିରେ ଆସି ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିଛନ୍ତି। ପହଣ୍ଡି ପରେ ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ପ୍ରତ୍ୟକ୍ଷ ସ୍ନାନ କରାଯିବ । ୧୦୮ ଗରା ଜଳରେ ସ୍ନାନ କରିବେ। ମହାପ୍ରଭୁଙ୍କ ଛେରାପହଁରା ନୀତି ଓ ହାତୀବେଶ କରାଯିବ। ଏ ସମସ୍ତ ନୀତି କରିବା ନେଇ ଶ୍ରୀମନ୍ଦିର ମଧ୍ୟକୁ କେବଳ ସୀମିତ ସେବାୟତମାନେ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଅଛି। ଆରଟିପିସିଆର ଟେଷ୍ଟ ହୋଇଥିବା ୯୦ପ୍ରତିଶତ ସେବାୟତଙ୍କ ରିପୋର୍ଟ ନେଗେଟିଭ ଆସିଛି।
ଆଜି ମହାପ୍ରଭୁଙ୍କ ସେନାପଟା ଲାଗି କରାଯାଇ ରାତି ଗୋଟାଏରୁ ପହଣ୍ଡି କରାଯାଇଛି । ତେବେ କଟକଣାକୁ ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୫ ସିସିଟିଭି ମାଧ୍ୟମରେ ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ପାଇଁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ବଡଦାଣ୍ଡର ମାର୍କେଟ ଛକଠାରୁ ଆରମ୍ଭ କରି କାକୁଡିଖାଇ ଛକ, ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ବାଲି ସାହି, ହରଚଣ୍ଡୀ ସାହି, ଦୋଳମଣ୍ଡପ ସାହି, ଲବଣିଖିଆ ଛକ, ଖୁଣ୍ଟିଆ ସାହି, ପାଣ୍ଡ ଜାଗା, ଛପନ ଛକ, ଭୋଗଯାଗା ଓ ଲୋକନାଥ ରୋଡ଼ ଆଦି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବୁଧବାର ରାତି ୧୦ ରୁ ୨୫ ତାରିଖ ରାତି ୨ ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ। ଭକ୍ତମାନେ ଚଳିତବର୍ଷ ସ୍ନାନନୀତି ଓ ହାତୀବେଶ ଦର୍ଶନ ସିଧା ପ୍ରସାରଣ ମାଧ୍ୟମରେ ଦେଖିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ସେପଟେ ସ୍ନାନଯାତ୍ରା ପାଇଁ ସେବାୟତଙ୍କୁ ପାସ ବଣ୍ଟନ କରାଯାଇଛି। ମହାପ୍ରଭୁ ରାଘବଦାସ ଓ ଗୋପାଳତୀର୍ଥ ମଠ ଯୋଗାଇଥିବା ଦୁର୍ଲ୍ଲଭ ହାତୀବେଶ ଧାରଣ କରିବେ। ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଅଧିବାସ ଗୃହରେ ରଖାଯାଇଥିବା ବେଳେ ଗୁରୁବାର ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବା ପରେ ପଞ୍ଚଉପଚାର ଵିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ। ଏହାପରେ ଗଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏହାପରେ ସଂଧ୍ୟାରେ ଚାଲିଯିବେ ଅଣସର ପିଣ୍ଡିକୁ।
