ଖୋଲିଲା ଲିଙ୍ଗରାଜ ମନ୍ଦିର
- ଥରକେ ୧୦୦ ଜଣଙ୍କୁ ଅନୁମତି, ମାସ୍କ ପରିଧାନ ବାଧ୍ୟତାମୂଳକ
ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟ ଆଜି ଭକ୍ତଙ୍କ ପାଇଁ ଖୋଲିଛି । ଆଜି ଅନେକ ଦିନ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । କରୋନା କଟକଣା ପାଇଁ ଦୀର୍ଘଦିନରୁ ବନ୍ଦ ଥିବା ମନ୍ଦିର ମାନ ଧିରେ ଧିରେ ଖୋଲୁଥିବା ବେଳେ ଭୁବନେଶ୍ୱର ପ୍ରସିଦ୍ଧ ବାବା ଲିଙ୍ଗରାଜଙ୍କ ମନ୍ଦିର କିନ୍ତୁ ପଡ଼ିଥିଲା ଯାହା ଫଳରେ ଭକ୍ତମାନେ ଠାକୁରଙ୍କୁ ଚର୍ମଚକ୍ଷୁରେ ନଦେଖି ପାରିଲେ ମଧ୍ୟ ଭାବନାରେ ଦର୍ଶନ କରୂୁଥିଲେ । କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି ।
ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ବିଏମସି ଜାରି କରିଥିବା କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ପଡିବ । ମନ୍ଦିରକୁ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଦର୍ଶନାର୍ଥୀ ନେଇଥିବା ୨ଟି ଡୋଜ ଟିକା ପ୍ରମାଣପତ୍ର ଦେଖାଇବା ଜରୁରୀ । ଗର୍ଭଗୃହରେ ଦର୍ଶନ ସମ୍ପୂର୍ଣ୍ଣ ବାରଣ ରହିଛି । ଥରକେ ୧୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ସେବାୟତମାନେ ଶ୍ରଦ୍ଧାଳୁଙ୍କଠାରୁ ଭୋଗ ଗ୍ରହଣ କରିପାରିବେ ନାହିଁ । ପ୍ରତ୍ୟେକ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ମାନିବା ବାଧ୍ୟତାମୂଳକ କରାଯାଇଛି । ରୋଗାକ୍ରାନ୍ତ, ବୟସ୍କ, ଗର୍ଭବତୀ, ୧୮ ବର୍ଷରୁ କମ୍ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରା କଟକଣା ରହିଛି । ନିୟମ ପାଳନରେ ତ୍ରୁଟି ହେଲେ ମନ୍ଦିର ଖୋଲାଯିବା ନିଷ୍ପତି ପ୍ରତ୍ୟାହାର ହେବ ବୋଲି କୁହାଯାଇଛି ।
